କଟକ: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ବହୁ ପ୍ରତୀକ୍ଷିତ ଫଳାଫଳ ବୁଧବାର ପ୍ରକାଶ ପାଇଛି। ଚଳିତ ବର୍ଷ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ମୋଟ ୫୩,୩୧୪ ଜଣ ପ୍ରାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ବୋର୍ଡ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଏଥର ପାସ୍ ହାର ୬୪.୪୮ ପ୍ରତିଶତ ରହିଛି।
ବୋର୍ଡ ଅଫ୍ ସେକେଣ୍ଡାରି ଏଡୁକେସନ୍ (BSE), ଓଡ଼ିଶା ସୂଚନା ଦେଇଛି ଯେ Paper-I ଓ Paper-II ପାଇଁ ମୋଟ ୯୭,୧୫୧ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୮୪,୭୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୨,୪୨୦ ଜଣ ଅନୁପସ୍ଥିତ ରହିଥିଲେ।
ସନ୍ଧ୍ୟା ୬ଟାରୁ BSEର ଅଫିସିଆଲ୍ ୱେବସାଇଟରେ ଫଳାଫଳ ଉପଲବ୍ଧ ହୋଇଛି। ପ୍ରାର୍ଥୀମାନେ ନିଜ User ID ଓ Password କିମ୍ବା Date of Birth ବ୍ୟବହାର କରି ଲଗଇନ୍ କରି ରେଜଲ୍ଟ ଦେଖିପାରିବେ।
ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀମାନେ ସେପ୍ଟେମ୍ବର ୭ ତାରିଖ ସକାଳ ୧୧ଟାରୁ ନିର୍ଦ୍ଧାରିତ ଫି ପ୍ରଦାନ କରି ବୋର୍ଡ ୱେବସାଇଟରୁ ଡିଜିଟାଇଜ୍ଡ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ। ହାର୍ଡ କପି ଜାରି ହେବା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ।
ଅନ୍ୟପକ୍ଷରେ, ଯେଉଁ ପ୍ରାର୍ଥୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି, ସେମାନେ ସେପ୍ଟେମ୍ବର ୫ରୁ ୧୨ ତାରିଖ ମଧ୍ୟରେ ବୋର୍ଡ ୱେବସାଇଟରୁ ନିଜ OMR Answer Sheet ଡାଉନଲୋଡ୍ କରିପାରିବେ। OTET ଫଳ ପ୍ରକାଶ ପରେ ରାଜ୍ୟର ହଜାର ହଜାର ଶିକ୍ଷକ ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।