ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ମଧ୍ୟଖଣ୍ଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ର ପୂର୍ବତନ ମେଡିକାଲ୍ ଅଫିସର ଡା. କେଦାରନାଥ ପାଲଙ୍କୁ ଲାଞ୍ଚ ମାମଲାରେ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ବୁଧବାର ଭୁବନେଶ୍ୱର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ) ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଡା. ପାଲ ମଧ୍ୟଖଣ୍ଡ PHCର ଜଣେ କର୍ମଚାରୀଙ୍କ HUDCO ଋଣ ମଞ୍ଜୁର ଓ ଅର୍ଥ ବିତରଣ ପାଇଁ ଲାଞ୍ଚ ଦାବି କରିଥିଲେ ଏବଂ ଟଙ୍କା ଗ୍ରହଣ କରିଥିଲେ। ଏହି ଘଟଣାରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨), ୧୩(୧)(ଡି) ଓ ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ପରେ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିଥିଲା।
ଡା. ପାଲ ଅବସର ନେଇସାରିଥିବା ବେଳେ, ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ କହିଛି ଯେ ତାଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ପଦକ୍ଷେପ ନିଆଯିବ।