ନୂଆଦିଲ୍ଲୀ: ୧୯୯୯ ମସିହାର ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ ଦାରା ସିଂହଙ୍କ ଅକାଳ ମୁକ୍ତି (Premature Release) ଆବେଦନକୁ ନେଇ ସୁପ୍ରିମକୋର୍ଟ ପୁଣି ଶୁଣାଣି କରିବେ। ମାମଲାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ମଧ୍ୟରେ ସର୍ବୋଚ୍ଚ ଅଦାଲତ ଓଡ଼ିଶା ସରକାରଙ୍କ ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଓଡ଼ିଶା ସରକାରକୁ ଦାରା ସିଂହଙ୍କ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏପର୍ଯ୍ୟନ୍ତ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇନଥିବା ସୂଚନା ମିଳିବା ପରେ ବେଞ୍ଚ କ୍ଷୋଭ ପ୍ରକାଶ କରିଛନ୍ତି।
ଶୁଣାଣି ବେଳେ ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି, “ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଆମେ ନେବୁ।” ଏହି ଟିପ୍ପଣୀ ପରେ ସରକାର ଓ ରିଭ୍ୟୁ ବୋର୍ଡ ଉପରେ ଶୀଘ୍ର ନିଷ୍ପତ୍ତି ନେବାର ଚାପ ବଢ଼ିଛି।
ଦାରା ସିଂହ ୧୯୯୯ ମସିହାରୁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏପର୍ଯ୍ୟନ୍ତ ସେ ୨୬ ବର୍ଷରୁ ଅଧିକ ସମୟ ଜେଲ୍ରେ କାଟିସାରିଛନ୍ତି। ଦୀର୍ଘ କାରାବାସକୁ ଆଧାର କରି ସେ ସୁପ୍ରିମକୋର୍ଟରେ ଦଣ୍ଡ ରିମିସନ୍ ଓ ଅକାଳ ମୁକ୍ତି ପାଇଁ ଆବେଦନ କରିଛନ୍ତି।
ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା ଭାରତର ସବୁଠୁ ଚର୍ଚ୍ଚିତ ଅପରାଧିକ ମାମଲା ମଧ୍ୟରୁ ଗୋଟିଏ। ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି ଓ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଉପରେ ରହିଛି।