ପାରାଦ୍ୱୀପ: ଗତକାଲି ଚାକିରୀରୁ ନେଇଥିଲେ ଅବସର । ଆଉ ଆଜି ଜୀବନରୁ ଅବସର ନେଇଗଲେ । ପାରାଦ୍ଵୀପ ଗଡ଼ ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତି ପ୍ରାଣ ହରାଇଛନ୍ତି । ଏକ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ରାସ୍ତାକଡ଼କୁ ଖସି ପଡ଼ିଛି । ରାସ୍ତାରେ କଡ଼ରେ ପାଣି ଥିବାରୁ କାରଟି ପାଣିରେ ବୁଡ଼ି ଯାଇଥିଲା । ଫଳରେ ଦମ୍ପତି ପ୍ରାଣ ହରାଇଛନ୍ତି । ମୃତକ ହେଲେ ବିଭୁତି ଭୂଷଣ ଦାସ ଓ ତାଙ୍କ ପତ୍ନୀ ପ୍ରତିମା ଦାସ ।
ବିଭୁତି ଭୂଷଣ ଦାସ ପାରାଦ୍ଵୀପ ବନ୍ଦର ମେରାଇନ ବିଭାଗରେ ଚାକିରି କରିଥିଲେ । ଗତକାଲି ସିଏ ଚାକିରୀରୁ ଅବସର ନେଇଥିଲେ । ରାତିରେ ପାରଦ୍ୱୀପଗଡ଼ରେ ଥିବା ନିଜ ଭଉଣୀ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ଖାଇ ପିଇ ଉଭୟ ବିଭୂତି ଓ ତାଙ୍କ ପତ୍ନୀ ନିଜ କାରରେ ପାରାଦ୍ଵୀପ ଫେରୁଥିଲେ । ଗଡ଼ ମାର୍କେଟ କମ୍ପ୍ଲେକ୍ସ ରାସ୍ତା ଦେଇ ରାଜପଥକୁ ଉଠିବା ବେଳେ ଡିଭାଇଡରରେ ପିଟି ହୋଇ କାରଟି ରାସ୍ତା କଡ଼ରେ ଥିବା ଖାଲରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ପୋଲିସ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅଠରବାଙ୍କି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଠାଇଥିଲେ, ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଲକ୍ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହିତ ପରିବାର ଲୋକଙ୍କୁ ଖବର ଦେବା ସହିତ ତଦନ୍ତ କରିଛି ।