ବୋରିଗୁମ୍ମା: ଜୟପୁର ସଦର ବ୍ଲକ ଜୟନ୍ତୀଗିରି ପଞ୍ଚାୟତର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର ଆତଙ୍କ ଖବର ଉପରୁ ପରଦା ହଟିଛି । ଭାଇରାଲ କୁମ୍ଭୀର ଫଟୋ ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ। ନଦୀରେ କୌଣସି କୁମ୍ଭୀର ନାହିଁ ବରଂ ଏହା ଏକ କୃତ୍ରିମ ବୁଦ୍ଧିମତା ବା ଏଆଇ (AI) ଦ୍ୱାରା ପ୍ରସ୍ତୁତ ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଏହା ସହିତ ଏଭଳି ମିଥ୍ୟା ଫଟୋ ଦେଖାଇ ଲୋକଙ୍କ ଭୟଭୀତ କରିବା ଅଭିଯୋଗରେ ବନ ବିଭାଗ ଦୁଇ ଭାଇଙ୍କୁ ଗିରଫ କରିଛି । ବୋରିଗୁମ୍ମା ବନ ବିଭାଗ ବଡ଼ପଡ଼ା ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ଅଟକ ରଖିବା ସହ ଗିରଫ କରିଛି । ସେମାନଙ୍କ ନାମରେ ଆଇଟି ଆକ୍ଟ (IT Act) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ ଯେ, ଗତକାଲି ନଦୀ ପଠାରେ ଏକ ବିରାଟ କୁମ୍ଭୀର ଥିବା ନେଇ ଫଟୋ ଭାଇରାଲ ହେବା ପରେ ମାଲଦା ଓ ବଡ଼ପଡ଼ା ଅଞ୍ଚଳର ଚାଷୀ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବନ ବିଭାଗ ତଦନ୍ତ କରିବା ପରେ ଏହା କେବଳ ଏକ ସୋସିଆଲ ମିଡିଆ ଗୁଜବ ବୋଲି ଜଣାପଡ଼ିଛି। ସୋସିଆଲ ମିଡିଆରେ ଏଭଳି ଭ୍ରାନ୍ତ ତଥ୍ୟ ନ ଫଇଲାଇବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।