ଭୁବନେଶ୍ୱର: ରାଜ୍ୟ ସରକାର ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ଉଲ୍ଲଂଘନ ଜରିମାନା ରାଶିରେ ବଡ଼ ପରିବର୍ତ୍ତନ କରିଛନ୍ତି । ସରକାର ପିୟୁସିସି ଜରିମାନାକୁ କୋହଳ କରିଛନ୍ତି । ବିଭିନ୍ନ ଯାନବାହାନ ପାଇଁ ଭିନ୍ନ ଭିନ୍ନ ନୂତନ ଜରିମାନା ରାଶି ଧାର୍ଯ୍ୟ କରାଯାଇଛି । ବୁଧବାର ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସରକାରଙ୍କ ନୂତନ ନିୟମ ଅନୁସାରେ ବାଇକ ବା ଦୁଇ ଚକିଆ ଓ ତିନି ଚକିଆ ଯାନ ଗୁଡ଼ିକ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ୨୦୦୦ ଟଙ୍କା ତଣ୍ଡ ଗଣିବେ । ସେହିପରି କାର୍/କ୍ୟାବ୍/ଟ୍ରାକ୍ଟର ଭଳି ଯାନ ଗୁଡ଼ିକ ପ୍ରଥମ ଥର ପିୟୁସିସି ନିୟମ ଉଲ୍ଲଂଘନ କଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା, କିନ୍ତୁ ଦ୍ୱିତୀୟ ଥରରେ ୫୦୦୦ ଟଙ୍କା ଜରିମାନା ଭରଣ କରିବେ । ଅନ୍ୟାନ୍ୟ ଭାରି ଯାନ ପାଇଁ ପ୍ରଥମ ଥର ପାଇଁ ୩୦୦୦ ଟଙ୍କା ଏବଂ ଦ୍ୱିତୀୟ ଥରରେ ୬୦୦୦ ଟଙ୍କା ଜରିମାନା ଧାର୍ୟ୍ୟ କରାଯାଇଛି । ସେହିପରି ଯେଉଁମାନଙ୍କର ୯୦ ଦିନରୁ ଅଧିକ ସମୟ ଧରି ଇ-ଚାଲାଣ ପୈଠ ହୋଇନଥିବ ସେମାନଙ୍କୁ ପିୟୁସିସି ସାର୍ଟିଫିକେଟ୍ ମିଳିବ ନାହିଁ । ପୂର୍ବ ସରକାର ସମୟରେ ୨୦୧୯ରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ଜରିମାନା ଲାଗୁ ହୋଇଥିଲା ।
ପରିବହନ ମନ୍ତ୍ରୀ ଅନୁରୋଧ କରିଛନ୍ତି ଯେ ଗାଡ଼ି ଚଳାଇବାବେଳେ ସାବଧାନତା ଅବଲମ୍ବନ କରିବା ସହିତ ଗାଡ଼ିର ସମସ୍ତ ପ୍ରମାଣ ପତ୍ର ରଖନ୍ତୁ । ସରକାରଙ୍କୁ ସହଯୋଗ କରନ୍ତୁ । ଲୋକଙ୍କୁ ହଇରାଣ କରି ରାଜକୋଷ ଭରିବା ସରକାରଙ୍କ ଲକ୍ଷ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।