ଭୁବନେଶ୍ୱର: ମାତ୍ର ୪ ବର୍ଷ ବୟସରେ ସାରା ବିଶ୍ୱର ଚେସ୍ ମଞ୍ଚରେ ଓଡ଼ିଶାର ଜଣେ କୁନି ଝିଅ ଇତିହାସ ରଚିଛନ୍ତି। ଏଲେନା ମିଶ୍ର ବିଶ୍ୱ ଚେସ୍ ସଂଘ (FIDE) ପକ୍ଷରୁ ଅଫିସିଆଲ୍ ରେଟିଂ ପାଇଥିବା ସବୁଠୁ କନିଷ୍ଠ ମହିଳା ଖେଳାଳି ଭାବେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ସେପ୍ଟେମ୍ବର ୨୦୨୬ରେ ପ୍ରକାଶିତ FIDE ରେଟିଂ ତାଲିକା ଅନୁଯାୟୀ, ୪ ବର୍ଷ ୬ ମାସ ୧୬ ଦିନ ବୟସରେ ଏଲେନା ୧୪୩୨ FIDE ବ୍ଲିଟ୍ଜ ରେଟିଂ ହାସଲ କରିଛନ୍ତି। ଏତେ କମ୍ ବୟସରେ ଏଭଳି ସଫଳତା ଚେସ୍ ଜଗତରେ ଅତ୍ୟନ୍ତ ବିରଳ ବୋଲି କୁହାଯାଉଛି।
ଏଲେନା ଏହି ସଫଳତା ମଦର୍ସ ପବ୍ଲିକ୍ ସ୍କୁଲ୍ ଠାରେ ଆୟୋଜିତ ଓଡ଼ିଶା ଷ୍ଟେଟ୍ ବ୍ଲିଟ୍ଜ FIDE ରେଟିଂ ଓପେନ୍ ଚେସ୍ ଚାମ୍ପିଅନ୍ସିପ୍–୨୦୨୬ରେ ଅଂଶଗ୍ରହଣ କରି ହାସଲ କରିଛନ୍ତି। ପ୍ରତିଯୋଗିତାରେ ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ତାଙ୍କୁ ସିଧାସଳଖ FIDEର ଅଫିସିଆଲ୍ ରେଟିଂ ତାଲିକାରେ ସ୍ଥାନ ଦେଇଛି।
ସବୁଠୁ ବଡ଼ କଥା ହେଉଛି, ୨୦୨୨ କିମ୍ବା ତା’ପରେ ଜନ୍ମିତ ଝିଅମାନଙ୍କ ମଧ୍ୟରେ ଯେକୌଣସି FIDE ଫର୍ମାଟରେ ଅଫିସିଆଲ୍ ରେଟିଂ ପାଇଥିବା ଏକମାତ୍ର ମହିଳା ଖେଳାଳି ହେଲେ ଏଲେନା। ଏହି ସଫଳତାକୁ ଓଡ଼ିଶା ସ୍ପୋର୍ଟସ୍ ମଧ୍ୟ ସୋସିଆଲ୍ ମିଡିଆରେ ପ୍ରଶଂସା କରି ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛି।
ଯେଉଁ ବୟସରେ ଅଧିକାଂଶ ଶିଶୁ ଖେଳନା ସହ ଖେଳିବା ଆରମ୍ଭ କରନ୍ତି, ସେହି ବୟସରେ ଏଲେନା ଚେସ୍ ବୋର୍ଡରେ ନିଜର ପ୍ରତିଭାର ଛାପ ଛାଡ଼ିଛନ୍ତି। ତାଙ୍କ ଏହି କୀର୍ତ୍ତି କେବଳ ପରିବାର କିମ୍ବା ଓଡ଼ିଶା ପାଇଁ ନୁହେଁ, ବରଂ ଭାରତୀୟ ଚେସ୍ର ଭବିଷ୍ୟତ ପାଇଁ ମଧ୍ୟ ଏକ ଆଶାର କିରଣ। ଏଲେନାଙ୍କ ଏହି ଐତିହାସିକ ସଫଳତା ନିଶ୍ଚିତ ଭାବେ ରାଜ୍ୟର ଅନେକ କୁନି ପ୍ରତିଭାଙ୍କୁ ଚେସ୍ ପ୍ରତି ଆକୃଷ୍ଟ କରିବ ଏବଂ ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ଚେସ୍ ମାନଚିତ୍ରରେ ଆହୁରି ସୁଦୃଢ଼ କରିବ।