ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନକୁ ନେଇ ପୁଣି ଏକ ବଡ଼ ଝଟ୍କା ଲାଗିଛି। ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ସେ ଦଳକୁ ଫେରିବେ ବୋଲି ଆଶା କରାଯାଉଥିଲା। ମାତ୍ର ଅଭ୍ୟାସ ସମୟରେ ପାଦରେ ସାମାନ୍ୟ ଆଘାତ ଲାଗିବା ଯୋଗୁଁ ତାଙ୍କୁ ମଇଦାନକୁ ଫେରିବା ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ପରଠାରୁ ହାର୍ଦ୍ଦିକ କୌଣସି ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି।
ଆଫଗାନିସ୍ତାନ ସିରିଜ୍ରେ ଖେଳିବା ନେଇ ଅନିଶ୍ଚିତତା
'ଟାଇମ୍ସ ଅଫ୍ ଇଣ୍ଡିଆ'ର ଏକ ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ହେବା ବାଟରେ ଥିଲେ ମଧ୍ୟ ଏହି ନୂଆ ଆଘାତ କାରଣରୁ ଆଗାମୀ ସିରିଜ୍ରୁ ବାଦ୍ ପଡ଼ିପାରନ୍ତି। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ସ୍ୱାଡ୍ ଚୟନ କରିବାକୁ ଚଳିତ ସପ୍ତାହରେ ଚୟନକର୍ତ୍ତାମାନେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶଥାଉ କି, ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୩ରୁ ୧୭ ମଧ୍ୟରେ ଏହି ଟି-୨୦ ସିରିଜ୍ ଖେଳାଯିବ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହାର୍ଦ୍ଦିକ ବିନା କୌଣସି ଅସୁବିଧାରେ ଅଭ୍ୟାସ କରୁଥିଲେ। କିନ୍ତୁ ଗୋଡ଼ରେ ସାମାନ୍ୟ କଷ୍ଟ ଥିବାରୁ ତାଙ୍କୁ ବୋଲିଂ ନକରିବାକୁ ପରାମର୍ଶ ଦିଆଯାଇଛି। ବ୍ୟାଟିଂ ଏବଂ ଫିଲ୍ଡିଂରେ ତାଙ୍କର କୌଣସି ସମସ୍ୟା ନଥିଲେ ବି ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ତାଙ୍କୁ ଶତପ୍ରତିଶତ ଫିଟ୍ ଘୋଷଣା କରିବା ପୂର୍ବରୁ ସମ୍ପୂର୍ଣ୍ଣ ସୁନିଶ୍ଚିତ ହେବାକୁ ଚାହୁଁଛି। ସିରିଜ୍ ବହୁତ ପାଖେଇ ଆସିଥିବାରୁ ସେ ପୂର୍ଣ୍ଣ ଫିଟନେସ୍ ହାସଲ କରିବା କଷ୍ଟକର ମନେହେଉଛି।
୫ ମାସ ହେଲା ଅନ୍ତର୍ଜାତୀୟ କ୍ରିକେଟ୍ରୁ ଦୂରରେ
ହାର୍ଦ୍ଦିକ ପାଣ୍ଡ୍ୟା ଗତ ମେ' ୨୪ ତାରିଖରେ ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିଜର ଶେଷ ମ୍ୟାଚ୍ ଖେଳିଥିଲେ। ଅନ୍ୟପଟେ ଗତ ୫ ମାସ ହେବ ସେ ଭାରତୀୟ ଜର୍ସିରେ ମଇଦାନକୁ ଓହ୍ଲାଇନାହାନ୍ତି। ୨୦୨୭ ଦିନିକିଆ ବିଶ୍ୱକପ୍ ନିକଟତର ହେଉଥିବା ବେଳେ, ଚାମ୍ପିୟନ୍ସ ଟ୍ରଫି ୨୦୨୫ ପରଠାରୁ ସେ ଗୋଟିଏ ହେଲେ ବି ଦିନିକିଆ ମ୍ୟାଚ୍ ନଖେଳିବା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।