କଟକ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ଆରମ୍ଭ କରିଛି କଡ଼ା ପ୍ରସ୍ତୁତି। ଦାଦାବଟି ଆଦାୟ, ଅସାମାଜିକ କାର୍ଯ୍ୟକଳାପ ଓ ପୁରୁଣା ଅପରାଧୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କଟକ DCP ଖିଲାରୀ ଋଷିକେଶ ଧ୍ୟାନଦେଓ।
ମଙ୍ଗଳବାର ଗଣମାଧ୍ୟମକୁ ସମ୍ବୋଧନ କରି DCP କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପୂଜା ସମୟରେ ଆଇନ ଶୃଙ୍ଖଳାକୁ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଓ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଖୁବ୍ ଶୀଘ୍ର ପୂଜା କମିଟି ଓ ପୋଲିସ ଅଧିକାରୀଙ୍କ ସହ ବୈଠକ ହେବ।
ପୋଲିସ ପୂର୍ବରୁ ଦାଦାବଟି, ଗୁଣ୍ଡାଗିରି ଓ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର ତାଲିକା ପ୍ରସ୍ତୁତ କରିଛି। ପୂଜା ସମୟରେ ସେମାନେ କୌଣସି ଅଶାନ୍ତି ସୃଷ୍ଟି ନ କରନ୍ତୁ, ସେଥିପାଇଁ ପ୍ରତିଷେଧକ ପଦକ୍ଷେପ ନିଆଯିବ।
ସହରର ପ୍ରମୁଖ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ CCTV କ୍ୟାମେରା ସକ୍ରିୟ କରାଯିବା ସହ ପୋଲିସର ସ୍ୱତନ୍ତ୍ର ନଜରଦାରି ବ୍ୟବସ୍ଥା ରହିବ। ଏହାଛଡ଼ା ଜନସାଧାରଣଙ୍କ ସୁରକ୍ଷା ପାଇଁ ଏକ କମନ୍ ଟୋଲ୍-ଫ୍ରି ହେଲ୍ପଲାଇନ୍ ଆରମ୍ଭ କରିବାକୁ ଯୋଜନା ହୋଇଛି। ଜରୁରୀ ସହାୟତା ପାଇଁ ୧୧୨ ନମ୍ବର ପୂର୍ବଭଳି କାର୍ଯ୍ୟକ୍ଷମ ରହିବ।
DCP ଲୋକଙ୍କୁ ଆହ୍ୱାନ କରି କହିଛନ୍ତି, ଯଦି କେହି ଦାଦାବଟି ମାଗନ୍ତି କିମ୍ବା କୌଣସି ବେଆଇନ କାର୍ଯ୍ୟକଳାପ ଦେଖନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ। ପୋଲିସ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ।