ଭଦ୍ରକ: ବୁଲିବାକୁ ଯାଇଥିଲେ ନେପାଳ, କିନ୍ତୁ ଫେରିଲେ ମୃତ୍ୟୁର ଭୟଙ୍କର ସ୍ମୃତି ନେଇ। ନେପାଳର ଭୟାବହ ଆକସ୍ମିକ ବନ୍ୟାରେ ଫସି ରହିଥିବା ୫୧ ଜଣିଆ ଦଳର ସଦସ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ଗାଁର ରମେଶ ଦାସ ମଙ୍ଗଳବାର ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ଘରେ ପହଞ୍ଚିବା ପରେ ସେ ଯାହା ବଖାଣିଛନ୍ତି, ତାହା ଶୁଣିଲେ ଛାତି ଥରିଉଠିବ।
ରମେଶ ଗତ ଅଗଷ୍ଟ ୨୧ରେ ଓଡ଼ିଶା ଓ କେରଳର ୫୧ ଜଣଙ୍କ ସହ ନେପାଳ ବୁଲିବାକୁ ଯାଇଥିଲେ। ସବୁକିଛି ଠିକ୍ ଚାଲିଥିବା ବେଳେ ଅଗଷ୍ଟ ୨୬ରେ ହଠାତ୍ ଆକସ୍ମିକ ବନ୍ୟା ସମଗ୍ର ଅଞ୍ଚଳକୁ ଉଜାଡ଼ି ଦେଇଥିଲା। କାଠମାଣ୍ଡୁ ଅଭିମୁଖେ ବସ୍ରେ ଯାଉଥିବା ସମୟରେ ସେନା କର୍ମଚାରୀମାନେ ବିପଦ ଦେଖି ଯାତ୍ରା ଅଟକାଇ ଦେଇଥିଲେ।
“ଜୀବନରେ ଯାହା ଦେଖିଲି, କେବେ ଭୁଲିପାରିବିନି। ଲାଗିଥିଲା ପରିବାରକୁ ଆଉ କେବେ ଦେଖିପାରିବିନି,” ବୋଲି କୋହଭରା କଣ୍ଠରେ କହିଛନ୍ତି ରମେଶ।
ଫେରିବା ବାଟରେ ସେମାନେ ଦେଖିଥିଲେ ବନ୍ୟାର ତାଣ୍ଡବ। ଚାରିଆଡ଼େ ଭାଙ୍ଗିଯାଇଥିବା ଘର, ଭାସିଯାଇଥିବା ବସ୍ ଓ ଟ୍ରକ୍, ରାସ୍ତା କଡ଼ରେ ପଡ଼ିଥିବା ଶତାଧିକ ମୃତଦେହ ଏହି ସବୁ ଦୃଶ୍ୟ ତାଙ୍କୁ ଆଜିବି ଆତଙ୍କିତ କରୁଛି। ବନ୍ୟାର ସ୍ରୋତ ଏତେ ପ୍ରବଳ ଥିଲା ଯେ ଗାଡ଼ି ପାଖ ଦେଇ ପାଣି ଗର୍ଜନ କରି ବହୁଥିଲା ଏବଂ ସୁରକ୍ଷିତ ସ୍ଥାନ ଖୋଜିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା।
ସବୁଠାରୁ ବଡ଼ ଯନ୍ତ୍ରଣା ଥିଲା ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା। ମୋବାଇଲ୍ ନେଟୱର୍କ ନଥିବାରୁ ରମେଶ ଘରେ କାହା ସହ ଯୋଗାଯୋଗ କରିପାରିନଥିଲେ। ଏପଟେ ତାଙ୍କ ପରିବାର ମଧ୍ୟ ଚିନ୍ତାରେ ଦିନ କାଟୁଥିଲେ।
ଦୀର୍ଘ ସଂଘର୍ଷ ପରେ ମଙ୍ଗଳବାର ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ସାନଭାଇଙ୍କୁ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ରମେଶ। ଛୁଟିର ଆନନ୍ଦ ଏବେ ତାଙ୍କ ପାଇଁ ଦୁଃସ୍ୱପ୍ନର ସ୍ମୃତି ପାଲଟିଯାଇଛି।