ଅନୁଗୋଳ: ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇ ନିଜେ ଜୀବନ ବଞ୍ଚାଇବା ପାଇଁ ଆମ୍ବ ଗଛରେ ଚଢ଼ିବାକୁ ପଡ଼ିଲା ବନ କର୍ମଚାରୀଙ୍କୁ। ଆଉ ଆଶ୍ଚର୍ଯ୍ୟର କଥା, ପ୍ରାୟ ୧ ଘଣ୍ଟା ଧରି ହାତୀପଲ ଗଛ ତଳେ ଜଗି ରହିଥିଲେ। ଏଭଳି ରୋମାଞ୍ଚକର ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ପାଟକୁଣ୍ଡା ଅଞ୍ଚଳରେ ଘଟିଛି।
ସୂଚନା ଅନୁସାରେ, ପାଟକୁଣ୍ଡା ଗାଁରେ ହାତୀ ପଶିଥିବା ଖବର ପାଇ ବନବିଭାଗର ଏକ ଟିମ୍ ସେଠାରେ ପହଞ୍ଚିଥିଲେ। କର୍ମଚାରୀମାନେ ହାତୀପଲଙ୍କୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ପରିସ୍ଥିତି ହଠାତ୍ ଓଲଟିଯାଇଥିଲା।
ରାଗିଯାଇଥିବା ହାତୀପଲ ବନ କର୍ମଚାରୀଙ୍କୁ ଗୋଡ଼ାଇବା ଆରମ୍ଭ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ସେ ଦୌଡ଼ି ଯାଇ ନିକଟସ୍ଥ ଏକ ଆମ୍ବ ଗଛରେ ଚଢ଼ିଯାଇଥିଲେ। କିନ୍ତୁ ହାତୀପଲ ସେଠାରୁ ହଟିନଥିଲେ। ଗଛ ତଳେ ଛିଡ଼ା ହୋଇ ଦୀର୍ଘ ସମୟ ଧରି କର୍ମଚାରୀଙ୍କୁ ଜଗି ରହିଥିଲେ।
ଖବର ପାଇ ଅନ୍ୟ ବନ କର୍ମଚାରୀମାନେ ଉଦ୍ଧାର ପାଇଁ ଆସିଥିଲେ। ହେଲେ ହାତୀପଲ ସେମାନଙ୍କୁ ମଧ୍ୟ ଗୋଡ଼ାଇ ଦେଇଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇନଥିଲା। ଶେଷରେ ପ୍ରାୟ ୧ ଘଣ୍ଟା ପରେ ହାତୀପଲ ଜଙ୍ଗଲ ମୁହାଁ ହେବା ପରେ ବନ କର୍ମଚାରୀ ଗଛରୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ।
ବନବିଭାଗ ସୂଚନା ଅନୁଯାୟୀ, ବର୍ତ୍ତମାନ ପାଟକୁଣ୍ଡା ଓ ଆଖପାଖ ଅଞ୍ଚଳରେ ପ୍ରାୟ ୩୦ଟି ହାତୀ ବିଚରଣ କରୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବନବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ହାତୀଙ୍କ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି।