ପାରାଦୀପ: ବଙ୍ଗୋପସାଗରରେ ବୁଡ଼ିଯାଇଥିବା ପାନାମା ପତାକାଧାରୀ ବଲ୍କ କ୍ୟାରିଅର MV Ocean Winnerର ୨୨ ନିଖୋଜ ନାବିକଙ୍କୁ ଖୋଜିବା ପାଇଁ ଚାଲିଥିବା ସପ୍ତାହବ୍ୟାପୀ ସର୍ଚ୍ଚ ଅପରେସନ୍ ଶେଷରେ ବନ୍ଦ କରାଯାଇଛି। ମାରିଟାଇମ୍ ରେସ୍କ୍ୟୁ କୋ-ଅର୍ଡିନେସନ୍ ସେଣ୍ଟର (MRCC) ଓ ଭାରତୀୟ କୋଷ୍ଟଗାର୍ଡ (ICG) ପକ୍ଷରୁ ନିଖୋଜ ୨୨ ଜଣଙ୍କୁ ମୃତ ବୋଲି ଅନୁମାନ କରାଯାଇଛି।
ଗତ ୨୨ ଅଗଷ୍ଟରେ ୨୮ ବର୍ଷ ପୁରୁଣା ଏହି ଜାହାଜ ପାରାଦୀପ ବନ୍ଦରରୁ ପ୍ରାୟ ୭୨ ହଜାର ଟନ୍ ଲୁହାପଥର ନେଇ ଚୀନ ଅଭିମୁଖେ ସିଙ୍ଗାପୁର ମାର୍ଗରେ ଯାତ୍ରା କରିଥିଲା। ସମୁଦ୍ରରେ ପ୍ରବେଶ କରିବାର କିଛି ସମୟ ପରେ ଜାହାଜଟି ବଙ୍ଗୋପସାଗରରେ ବୁଡ଼ିଯାଇଥିଲା।
ଜାହାଜରେ ମୋଟ ୨୪ ଜଣ ନାବିକ ଥିବାବେଳେ କେବଳ ୨ ଜଣ ଚୀନୀ ନାଗରିକ ଏକ ଲାଇଫ୍ ରାଫ୍ଟରୁ ଜୀବିତ ଉଦ୍ଧାର ହୋଇଥିଲେ। ବାକି ୨୨ ଜଣଙ୍କ ସନ୍ଧାନରେ ଭାରତୀୟ କୋଷ୍ଟଗାର୍ଡର ଜାହାଜ, ନୌସେନାର ବିମାନ, ବ୍ୟବସାୟିକ ଜାହାଜ ଏବଂ ଦୁଇଟି ଚୀନୀ ଉଦ୍ଧାରକାରୀ ଜାହାଜ ଲଗାତାର ଅଭିଯାନ ଚଳାଇଥିଲେ।
ସର୍ଚ୍ଚ ଅପରେସନ୍ ସମୟରେ ଏକ ଖାଲି ଲାଇଫ୍ ବୋଟ୍ ଓ MV Ocean Winner ସହ ସଂପୃକ୍ତ ଏକ ଜରୁରୀକାଳୀନ ବିକନ୍ ଉଦ୍ଧାର ହୋଇଥିଲା। ହେଲେ ଆଉ କୌଣସି ଜୀବିତ ନାବିକଙ୍କ ସନ୍ଧାନ ମିଳିନଥିଲା।
ଉଦ୍ଧାର ହୋଇଥିବା ଦୁଇ ଚୀନୀ ନାବିକ ଇମିଗ୍ରେସନ୍ ସମେତ ସମସ୍ତ ଔପଚାରିକତା ଶେଷ କରି କୋଲକାତା ମାର୍ଗରେ ଚୀନକୁ ଫେରିଯାଇଛନ୍ତି। ତାଙ୍କ ବୟାନ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ସୂତ୍ର ହୋଇପାରେ ବୋଲି ଆଶା କରାଯାଉଛି।
ଏବେ ଉଦ୍ଧାର ଅଭିଯାନ ଶେଷ ହେବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଉପରେ ତଦନ୍ତ ଜୋରଦାର ହୋଇଛି। ଜାହାଜର ଯାନ୍ତ୍ରିକ ସ୍ଥିତି, ସମୁଦ୍ର ପରିସ୍ଥିତି ଏବଂ ଯାତ୍ରା ପୂର୍ବରୁ ଘଟିଥିବା ଘଟଣାର ଖୋଳତାଡ଼ ହେବ। ଏପଟେ ଘଟଣାକୁ ନେଇ ଏପର୍ଯ୍ୟନ୍ତ FIR ରୁଜୁ ନହେବା ନେଇ ସାମୁଦ୍ରିକ କ୍ଷେତ୍ରରେ ପ୍ରଶ୍ନ ଉଠିଛି।