ନୂଆଦିଲ୍ଲୀ: ଜି ଗ୍ରୁପର ସଂସ୍ଥାପକ ସୁଭାଷ ଚନ୍ଦ୍ରାଙ୍କ ବ୍ୟକ୍ତିଗତ ଦେବାଳିଆ ପ୍ରକ୍ରିୟା ସହ ଜଡିତ ମାମଲାରେ ନ୍ୟାସନାଲ କମ୍ପାନି ଲ ଟ୍ରିବ୍ୟୁନାଲ(ଏନସିଏଲଟି) ବଡ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ୨୫ରେ ଦେଇଥିବା ନିଜର ପୂର୍ବ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛି ଏନସିଏଲଟି । ଟ୍ରିବ୍ୟୁନାଲର ପାଞ୍ଚ ଜଣିଆ ପୀଠ କହିଛନ୍ତି ଗତ ନିଷ୍ପତ୍ତିରେ ସ୍ପଷ୍ଟ ବହୁମତ ପ୍ରକାଶ ପାଇ ପାରି ନ ଥିଲା । ଏବେ ନୂତନ ଭାବେ ମାମଲାର ଶୁଣାଣି ହେବ ।
ପୀଠ ମାମଲା ସହ ଜଡିତ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ସୁଭାଷ ଚନ୍ଦ୍ରାଙ୍କୁ ନିଜର କୌଣସି ବି ସଂପତ୍ତିକୁ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ଅନ୍ୟ ନାଁରେ କରିବା ଉପରେ ରୋକ୍ ଲଗାଯାଇଛି । ବାର ଆଣ୍ଡ ବେଞ୍ଚର ରିପୋର୍ଟ ମୁତାବକ, ଏନସିଏଲଟି କହିଛି ଯେ, ଗତ ନିଷ୍ପତ୍ତିକୁ ନେଇ କୌଣସି ସ୍ପଷ୍ଟ ବହୁମତ ହୋଇ ପାରି ନ ଥିଲା । ଏହି କାରଣରୁ ମାମଲାର ଶୁଣାଣି ନୂତନ ଭାବେ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଗତ ଅଗଷ୍ଟ ୨୫ ତାରିଖରେ ଏନସିଏଲଟି ପକ୍ଷରୁ ଜୀ ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ବ୍ୟକ୍ତିଗତ ଦେବାଳିଆ ମାମଲାରେ ଏକ ବଡ଼ ରାୟ ପ୍ରକାଶ ପାଇଥିଲା। ଏହି ପୂର୍ବ ନିଷ୍ପତ୍ତିକୁ ନେଇ ଦେଶର ବ୍ୟାଙ୍କିଙ୍ଗ୍ ଏବଂ କର୍ପୋରେଟ୍ ଜଗତରେ ବଡ଼ଧରଣର ଚର୍ଚ୍ଚା ଓ ବିବାଦ ଦେଖାଦେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ, ସୁଭାଷ ଚନ୍ଦ୍ରଙ୍କ ପକ୍ଷରୁ ଦିଆଯାଇଥିବା ଏକ ଋଣ ପରିଶୋଧ ପ୍ରସ୍ତାବ କୋର୍ଟଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା।
ମାମଲାରେ ମୋଟ ପ୍ରାୟ ୨୨,୦୦୦ କୋଟି ଟଙ୍କାରୁ ଅଧିକ ଦାବି ରହିଥିବାବେଳେ, ସୁଭାଷ ଚନ୍ଦ୍ର କେବଳ ୬.୨୫ କୋଟି ଟଙ୍କା ଏବଂ ପ୍ରକ୍ରିୟା ବାବଦକୁ ଅତିରିକ୍ତ ୨୫ ଲକ୍ଷ ଟଙ୍କା ପୈଠ କରିବା ପାଇଁ ଏହି ଯୋଜନାରେ କୁହାଯାଇଥିଲା। ପ୍ରାରମ୍ଭରେ ଏହି ମାମଲାରେ ଦୁଇଜଣ ଜଜ୍ଙ୍କ ମଧ୍ୟରେ ମତାମତ ସମାନ ନଥିବାରୁ ମାମଲାଟି ତୃତୀୟ ସଦସ୍ୟ ଙ୍କ ପାଖକୁ ଯାଇଥିଲା ଏବଂ ତାଙ୍କର ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୨୫ ତାରିଖରେ ଏହି ପରିଶୋଧ ଯୋଜନାକୁ ଅନୁମୋଦନ ମିଳିଥିଲା।
Also Read: ସରକାରଙ୍କ ଯୋଜନା: ସଂପ୍ରସାରଣ ହେବ ହାଇ-ସ୍ପିଡ୍ ବୁଲେଟ୍ ଟ୍ରେନ୍ର ନେଟୱର୍କ