ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ନିକଟରେ ପ୍ରକାଶ ପାଇଥିବା ଦେଶର ଜିଡିପି ଅଭିବୃଦ୍ଧି ହାରକୁ ନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ରିଲ୍ ସେୟାର କରିଛନ୍ତି। ଏହି ଭିଡିଓ ଜରିଆରେ ସେ ଦେଶର ଏହି ସଫଳତା ପାଇଁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦେଶର ଅର୍ଥନୀତିକୁ ଆହୁରି ମଜବୁତ କରିବା ପାଇଁ କିଛି ଜରୁରୀ ପରାମର୍ଶ ମଧ୍ୟ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭିଡିଓରେ ସ୍ୱଦେଶୀ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଦେଶର ମୁଦ୍ରା ଓ ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖିବା ପାଇଁ ନାଗରିକମାନେ କିଛି ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍।
ଅନାବଶ୍ୟକ ଭାବେ ବିଦେଶ ଗସ୍ତ କରିବା ପରିବର୍ତ୍ତେ ଦେଶ ଭିତରେ ଥିବା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବୁଲିବାକୁ ପ୍ରାଥମିକତା ଦିଅନ୍ତୁ। ବାହାର ଦେଶରେ ବିବାହ ଆୟୋଜନ କରିବା ଦ୍ୱାରା ଦେଶର ଟଙ୍କା ବାହାରକୁ ଚାଲିଯାଉଛି, ଏହାକୁ ବନ୍ଦ କରିବା ଜରୁରୀ। ଅତ୍ୟଧିକ ସୁନା କିଣିବା ପ୍ରବୃତ୍ତିଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଭୋକାଲ ଫର ଲୋକାଲ' ଏବଂ ସ୍ୱଦେଶୀ ଉପରେ ଗୁରୁତ୍ୱ
ବିଶ୍ୱବ୍ୟାପୀ ବିଭିନ୍ନ ଆର୍ଥିକ ଅସ୍ଥିରତା ଓ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତୀୟ ଅର୍ଥନୀତି ୭.୮ ପ୍ରତିଶତର ଦ୍ରୁତ ଅଭିବୃଦ୍ଧି ହାସଲ କରିବା ଏକ ବଡ଼ ସଫଳତା ବୋଲି ପ୍ରଧାନମନ୍ତ୍ରୀ ମତପ୍ରକାଶ କରିଛନ୍ତି। ଏହି ଅଭିବୃଦ୍ଧି ଧାରାକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ନାଗରିକ 'ଭୋକାଲ ଫର ଲୋକାଲ' ମନ୍ତ୍ରକୁ ଆପଣାଇବା ଆବଶ୍ୟକ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Also Read: ସରକାରଙ୍କ ଯୋଜନା: ସଂପ୍ରସାରଣ ହେବ ହାଇ-ସ୍ପିଡ୍ ବୁଲେଟ୍ ଟ୍ରେନ୍ର ନେଟୱର୍କ