ଭୁବନେଶ୍ୱର: ବିଦେଶରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ SC/ST ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ‘ବିଦେଶ ଶିକ୍ଷାବୃତ୍ତି (Bidesh Sikhyabruti) ଯୋଜନା’ ଅଧୀନରେ ଅନଲାଇନ୍ ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୧ରୁ ବଢ଼ାଇ ସେପ୍ଟେମ୍ବର ୧୮, ୨୦୨୬ ପର୍ଯ୍ୟନ୍ତ କରିଛି।
ଏହି ଯୋଜନା ମାଧ୍ୟମରେ SC ଓ ST ବର୍ଗର ମେଧାବୀ ଛାତ୍ରଛାତ୍ରୀମାନେ ବିଶ୍ୱର QS ର୍ୟାଙ୍କିଂର ଶୀର୍ଷ ୨୦୦ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର (PG) ଏବଂ Ph.D. ପାଠ୍ୟକ୍ରମ ପାଇଁ ଆର୍ଥିକ ସହାୟତା ପାଇପାରିବେ।
ଯେଉଁ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ₹୧୨ ଲକ୍ଷ କିମ୍ବା ତା’ଠାରୁ କମ୍, ସେମାନେ OSS ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ୨୦୨୫–୨୬ ଓ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ମୋଟ ୫୦ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଗ୍ରହୀ ପ୍ରାର୍ଥୀଙ୍କୁ ନୂଆ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରାଯାଇଛି। ଯୋଗ୍ୟତା ଓ ନିର୍ଦ୍ଦେଶାବଳୀ ବିଭାଗର ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ରହିଛି।