ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ବାଙ୍ଗିରିପୋଷିରେ ସର୍ବାଧିକ ୩୦୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ମୟୂରଭଞ୍ଜର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବର୍ଷାର ତୀବ୍ର ପ୍ରଭାବ ଦେଖାଯାଇଛି। ସାରସକଣାରେ ୨୯୭ ମି.ମି., ଜାମସୋଳାଘାଟରେ ୨୮୫.୨ ମି.ମି. ଏବଂ ଚନ୍ଦନପୁରରେ ୨୫୯ ମି.ମି. ବର୍ଷା ହୋଇଛି। ଏହାଛଡ଼ା ବିଜାତଳା, ବାହାଲଦା, ଜାମଦା, କୁସୁମି ଓ ବାରିପଦାରେ ମଧ୍ୟ ଉଲ୍ଲେଖନୀୟ ବର୍ଷା ରେକର୍ଡ ହୋଇଛି।
ସୁନ୍ଦରଗଡ଼ର ବଣାଇଗଡ଼ରେ ୮୧ ମି.ମି. ଓ ଲହୁଣୀପଡ଼ାରେ ୭୫.୬ ମି.ମି. ବର୍ଷା ହୋଇଥିବା ବେଳେ ବୌଦ୍ଧର କଣ୍ଟାମାଳରେ ୬୬ ମି.ମି. ବର୍ଷା ରେକର୍ଡ ହୋଇଛି।
IMD କହିଛି, ଗତ ୨୪ ଘଣ୍ଟାରେ ରାଜ୍ୟର ୪ଟି ସ୍ଥାନରେ ଅତି ପ୍ରବଳ, ୨ଟି ସ୍ଥାନରେ ପ୍ରବଳ ଏବଂ ୮ଟି ସ୍ଥାନରେ ଭାରି ବର୍ଷା ହୋଇଛି। ଜିଲ୍ଲାଭିତ୍ତିକ ହିସାବରେ ମୟୂରଭଞ୍ଜରେ ସାଧାରଣଠାରୁ ୧୧୫୮% ଅଧିକ, ସୁନ୍ଦରଗଡ଼ରେ ୩୫୦% ଅଧିକ ବର୍ଷା ରେକର୍ଡ ହୋଇଛି।
ସମଗ୍ର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ସାଧାରଣ ବର୍ଷା ୭.୮ ମି.ମି. ଥିବା ବେଳେ ବାସ୍ତବ ବର୍ଷା ୧୩.୭ ମି.ମି. ହୋଇଛି, ଯାହା ୭୪% ଅଧିକ। ଅନ୍ୟପଟେ ଜଗତସିଂହପୁରରେ ସର୍ବାଧିକ ୩୩.୪° ସେଲସିୟସ୍ ତାପମାତ୍ରା ଏବଂ ବୌଦ୍ଧରେ ସର୍ବନିମ୍ନ ୧୯° ସେଲସିୟସ୍ ରେକର୍ଡ ହୋଇଛି।