ନୂଆପଡ଼ା ଜିଲ୍ଲାର କୋମନ ଥାନା ଅଧୀନ ପାଏର ଗାଁରେ ଘଟିଥିବା ବହୁଚର୍ଚ୍ଚିତ ଗୁଳିକାଣ୍ଡ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଗୁଜରାଟର ଜାମନଗରରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋମନ ପୋଲିସ। ପ୍ରାଥମିକ ତଦନ୍ତରୁ ଏହି ଘଟଣା ପଛରେ ପ୍ରେମ ସମ୍ପର୍କିତ ବିବାଦ ଥିବା ସାମ୍ନାକୁ ଆସିଛି।
ଗତ ଜୁଲାଇ ୨୦ ସନ୍ଧ୍ୟାରେ ପାଏର ଗାଁରେ ଗୁଳି ଫୁଟିବା ଘଟଣା ପୁରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଅଭିଯୋଗ ଅନୁଯାୟୀ, ଚାରି ଯୁବକ କେମେଣ୍ଟ ନାଗଙ୍କ ଘରେ ପଶି ପିସ୍ତଲ ଦେଖାଇ ଧମକ ଦେଇଥିଲେ। ସେହି ସମୟରେ ପରିବାର ସହ ଘରେ ଥିବା କେମେଣ୍ଟଙ୍କୁ ଭୟଭୀତ କରିବା ସହ ତାଙ୍କ ଦାଦା ତ୍ରିଲୋଚନ ନାଗ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଧମକ ଦିଆଯାଇଥିଲା। ଘର ବାହାରକୁ ଯିବା ପରେ ଅଭିଯୁକ୍ତମାନେ ଏକ ବ୍ଲାଙ୍କ ଫାୟାର୍ କରି ସେଠାରୁ ଫେରାର ହୋଇଯାଇଥିଲେ। ଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନଥିଲେ।
ଘଟଣାର ଦୁଇ ଦିନ ପରେ, ଜୁଲାଇ ୨୨ ରେ କେମେଣ୍ଟ ନାଗ କୋମନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ୍ ଟ୍ରାକିଂ ଓ ଗୁପ୍ତ ସୂଚନା ଆଧାରରେ ଅଭିଯୁକ୍ତମାନଙ୍କୁ ଜାମନଗରରେ ଠାବ କରି ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ମାନ ଶବର, ଆସିକ ଶବର, ରମେଶ ଶବର ଓ ସୂରଜ କୈବର୍ତ୍ତ। ସେମାନଙ୍କ ନିକଟରୁ ଏକ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ଓ ଏକ ଖାଲି ଖୋକା ଜବତ କରାଯାଇଛି। ବର୍ତ୍ତମାନ ପୋଲିସ ଏହି ମାମଲାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ଏବଂ ଜବତ ଅସ୍ତ୍ର କେଉଁଠାରୁ ଆସିଥିଲା, ସେନେଇ ଖୋଳତାଡ଼ ଜାରି ରଖିଛି।