ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଏବଂ ଆତଙ୍କବାଦ ବିରୋଧରେ ଭାରତୀୟ ସେନା କ୍ରମାଗତ କାର୍ୟ୍ୟାନୁଷ୍ଠାନ ପରେ ଏବେ ଶାନ୍ତି ମାର୍ଗରେ ଉପତ୍ୟାକା ବାସିନ୍ଦା । ହିଂସା, ବନ୍ଧୁକ ଓ ପଥର ଛାଡ଼ି ପରିବର୍ତ୍ତନକୁ ନିଜ ଜୀବନର ଅଂଶ କରିଛନ୍ତି କାଶ୍ମୀରର ଯୁବପୀଢ଼ି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ନିଯୁକ୍ତିରେ ୯୯ ପ୍ରତିଶତ ହ୍ରାସ ଘଟିଛି । ନୀତି ଆୟୋଗର ସଦ୍ୟ ପ୍ରକାଶିତ ତଥ୍ୟରେ ଏହି ଚାଞ୍ଚଲ୍ୟକର ଖୁଲାସା ହୋଇଛି । ନୀତି ଆୟୋଗର ତଥ୍ୟ ଅନୁଯାୟୀ, ୨୦୧୮ ରୁ ୨୦୨୫ ମଧ୍ୟରେ ପଥର ଫିଙ୍ଗା ଘଟଣାରେ ୯୮.୬ ପ୍ରତିଶତ ହ୍ରାସ ଘଟିଛି । ଆତଙ୍କବାଦୀରେ ସ୍ଥାନୀୟ ଯୁବକମାନଙ୍କ ନିଯୁକ୍ତି ମାମଲାରେ ପ୍ରାୟ ୯୯ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ଖାଲି ସେତିକି ନୁହେଁ ଆତଙ୍କବାଦୀ କାର୍ୟ୍ୟକଳାପ, ଏନକାଉଣ୍ଟର, ନିହତ ଆତଙ୍କବାଦୀଙ୍କ ସଂଖ୍ୟା ଏବଂ ସହିଦ ସୁରକ୍ଷା ବାହିନୀ ସଂଖ୍ୟାରେ ଗୁରୁତ୍ୱପୂର୍ଣ୍ଣ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇଛି।
ନୀତି ଆୟୋଗ ୨୦୧୮ ଏବଂ ୨୦୨୫ର ତଥ୍ୟ ଆଧାରରେ ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ପରିସ୍ଥିତି ସହିତ ଜଡିତ ମାମଲାଗୁଡ଼ିକର ତୁଳନାତ୍ମକ ତଥ୍ୟ ପ୍ରଦାନ କରିଛି । ୨୦୧୮ ରେ ଜମ୍ମୁ ଏବଂ କାଶ୍ମୀରରେ ପଥର ଫିଙ୍ଗା ମାମଲା ୧,୭୬୭ ପଞ୍ଜିକୃତ ହୋଇଥିବାବେଳେ ୨୦୨୫ ସୁଦ୍ଧା, ଏହି ସଂଖ୍ୟା ମାତ୍ର ୨୫ରେ ସୀମିତ ରହିଥିଲା । ବିଗତ ଆଠ ବର୍ଷ ମଧ୍ୟରେ ପଥର ଫିଙ୍ଗା ଘଟଣାରେ ୯୮.୬ ପ୍ରତିଶତ ହ୍ରାସ ଘଟିଛି । ସେହିପରି ଆତଙ୍କବାଦ କାର୍ୟ୍ୟକଳାପରେ ଯୁବପିଢ଼ିଙ୍କ ନିଯୁକ୍ତିର ୧୯୯ଟି ମାମଲାରୁ ୨୦୨୫ ସୁଦ୍ଧା ଏହି ସଂଖ୍ୟା ସିଧାସଳଖ ଆଶ୍ଚର୍ୟ୍ୟଜନକ ଭାବେ ୨କୁ ହ୍ରାସ ପାଇଛି । ଯାହା ପ୍ରାୟ ୯୯ ପ୍ରତିଶତ ହ୍ରାସ ବୋଲି ସୂଚାଉଛି । ଆତଙ୍କବାଦୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିଂସାତ୍ମକ ଘଟଣାରେ ୯୫ ପ୍ରତିଶତ ହ୍ରାସ ଘଟିଛି । ୨୦୧୮ରେ ଏପରି ୨୨୮ଟି ଘଟଣା ରେକର୍ଡ ହୋଇଥିବା ବେଳେ, ୨୦୨୫ରେ ଏହି ସଂଖ୍ୟା ୧୨କୁ ହ୍ରାସ ପାଇଛି ।
ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ଏନକାଉଣ୍ଟର ସଂଖ୍ୟା ୧୮୯ରୁ ହ୍ରାସ ପାଇ ୩୩ ଛୁଇଁଛି । ଯାହା ପ୍ରାୟ ୮୨.୫ ପ୍ରତିଶତ ହ୍ରାସ ପାଇଛି। ନିହତ ଆତଙ୍କବାଦୀଙ୍କ ସଂଖ୍ୟା ମଧ୍ୟ ୨୫୭ ରୁ ୩୪କୁ ହ୍ରାସ ପାଇଥିଲା, ଯାହା ପ୍ରାୟ ୮୭ ପ୍ରତିଶତ ହ୍ରାସ ଦର୍ଶାଇଥିଲା। ଆତଙ୍କବାଦୀ ହିଂସା ଏବଂ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସୁରକ୍ଷା ବାହିନୀର କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ୯୧ ରୁ ୧୬ କୁ ହ୍ରାସ ପାଇଛି, ଯାହା ୮୨.୪ ପ୍ରତିଶତ ହ୍ରାସ ପାଇଛି । ସାଧାରଣ ନାଗରିକଙ୍କ ମୃତ୍ୟୁ ମଧ୍ୟ ହ୍ରାସ ପାଇଛି । ୨୦୧୮ ରେ ଆତଙ୍କବାଦ ଘଟଣା କିମ୍ବା ଏନକାଉଣ୍ଟରରେ ୫୫ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ, ୨୦୨୫ ରେ ଏହି ସଂଖ୍ୟା ୨୮ କୁ ହ୍ରାସ ପାଇଛି - ଯାହା ପ୍ରାୟ ୪୯.୧ ପ୍ରତିଶତ ହ୍ରାସ ପାଇଛି।
ଏହି ସମୟ ମଧ୍ୟରେ 'ଅପରେସନ୍ ସିନ୍ଦୂର' ମଧ୍ୟ ହୋଇଛି । ଅପରେସନ୍ ସିନ୍ଦୂର ବେଳେ ୩ ଲକ୍ଷ ୨୬ ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା । ମୋଟ ୩୯୭ ରିଲିଫ୍ ଶିବିର ପ୍ରତିଷ୍ଠା କରାଯାଇଥିଲା, ଯେଉଁଥିରେ ୧୫,୨୯୩ ଲୋକଙ୍କୁ ଆଶ୍ରୟ ଦିଆଯାଇଥିଲା।