ଜଗତସିଂହପୁର ଜିଲ୍ଲାର ରଙ୍କେଇ ଗାଁର ଜଣେ ମହିଳା ଓ ତାଙ୍କ ୯ ମାସର ଶିଶୁପୁତ୍ର ଟ୍ରେନ୍ରେ ଘରକୁ ଫେରୁଥିବା ବେଳେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
ନିଖୋଜ ମହିଳା ହେଲେ ସୁଭଦ୍ରା ମଲ୍ଲିକ, ଜଗତସିଂହପୁରର ରଙ୍କେଇ ଗାଁର ପ୍ରକାଶ ମଲ୍ଲିକଙ୍କ ପତ୍ନୀ। ସୂଚନା ଅନୁଯାୟୀ, ସୁଭଦ୍ରା ଗତ ଅଗଷ୍ଟ ୩୧ ତାରିଖରେ ନିଜ ୯ ମାସର ପୁଅକୁ ସାଙ୍ଗରେ ନେଇ ଭୁବନେଶ୍ୱର–ବେଙ୍ଗାଲୁରୁ ଏକ୍ସପ୍ରେସ୍ ଯୋଗେ ବେଙ୍ଗାଲୁରୁରୁ ଘରକୁ ଫେରୁଥିଲେ।
ଦିନ ପ୍ରାୟ ୧ଟା ୪୫ ମିନିଟ୍ ସମୟରେ ସେ ନିଜ ବାପାଙ୍କୁ ଫୋନ୍ କରି ଭୁବନେଶ୍ୱର ରେଳ ଷ୍ଟେସନ୍ରେ ଏକ ଅଟୋ ନେଇ ଅପେକ୍ଷା କରିବାକୁ କହିଥିଲେ। ଏହାପରେ ତାଙ୍କ ସାନ ଭାଇ ଜଗତସିଂହପୁରରୁ ଅଟୋ ନେଇ ଷ୍ଟେସନ୍ରେ ପହଞ୍ଚିଥିଲେ। କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିବା ସତ୍ତ୍ୱେ ସୁଭଦ୍ରା କିମ୍ବା ଶିଶୁର କୌଣସି ସନ୍ଧାନ ମିଳିନଥିଲା। ପରେ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ହୋଇଯାଇଥିଲା।
ଘଟଣା ପରେ ସୁଭଦ୍ରାଙ୍କ ସ୍ୱାମୀ ପ୍ରକାଶ ମଲ୍ଲିକ ବେଙ୍ଗାଲୁରୁ ସରକାରୀ ରେଳ ପୋଲିସ (GRP) ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ତେବେ ଏପର୍ଯ୍ୟନ୍ତ ମା’ ଓ ୯ ମାସର ଶିଶୁର କୌଣସି ଖୋଜଖବର ମିଳିନାହିଁ। ସେମାନେ କେଉଁଠି ଗଲେ, ଟ୍ରେନ୍ରୁ ଓହ୍ଲାଇଲେ କି ଅନ୍ୟ କୌଣସି ଘଟଣା ଘଟିଛି ସବୁ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି।