ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ଅବସରରେ ଏହି ରାହୁରେଖା ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଭଳି ଏକ ମଧ୍ୟ ଏକ ଗୁପ୍ତନୀତି ଅଟେ । ଦଇତାପତି ସେବାୟତମାନେ ପାରମ୍ପରିକ ବିଧି ଅନୁଯାୟୀ ନିଷ୍ଠାର ସହ ସମ୍ପାଦନ କରିଥାନ୍ତି । ସ୍ନାନ ପୂର୍ଣ୍ଣିମା ପରେ ଅନସର ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରୁ ରାହୁରେଖା କାଢ଼ି ଦିଆଯାଇଥିଲା। ବର୍ତ୍ତମାନ ଭଣ୍ଡାର ଘରୁ ସୁନା ଲାଗିଥିବା ରାହୁରେଖାକୁ ବିଧିବଦ୍ଧ ଭାବେ ବାହାର କରାଯାଇ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଶ୍ରୀମୁଖରେ ଲାଗି କରାଯିବ ।
ପ୍ରଥମ ଭୋଗମଣ୍ଡପ ନୀତି ସମାପ୍ତ ପରେ ଏହି ବିଶେଷ ନୀତି ଆରମ୍ଭ ହେବ ବିଗ୍ରହ ମାନଙ୍କର ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖା କୁହାଯାଏ । ଗୋପାଳବଲ୍ଲଭ ଭୋଗ ବଢିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିବେ । ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖାକୁ ମାଜି ସଫା କରିବେ । ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ସେବକ ଓ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ରାହୁ ରେଖା ଲାଗି କରିଥାନ୍ତି । ଏହି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିବ ।
ରାହୁରେଖା ଲାଗି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ଅନୁଷ୍ଠିତ ହେବ ଏବଂ ତା’ପରେ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଖୋଲାଯିବ ।