ଭୁବନେଶ୍ୱର: ମେଧାବୀ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ଛାତ୍ରଛାତ୍ରୀଙ୍କ ବିଦେଶରେ ପାଠପଢ଼ା ସ୍ୱପ୍ନ ପୂରଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସରକାରଙ୍କ ପ୍ରବର୍ତ୍ତିତ ସ୍ୱତନ୍ତ୍ର ବିଦେଶୀ ଶିକ୍ଷା ବୃତ୍ତି ଯୋଜନାରେ ଆବେଦନ କରିବାର ଶେଷ ତାରିଖକୁ ଆହୁରି ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ସମୟସୀମା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବେଳେ, ଏବେ ଆଶାୟୀ ଛାତ୍ରଛାତ୍ରୀମାନେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଯୋଗ୍ୟତା ଏବଂ ମାନଦଣ୍ଡ
ରାଜ୍ୟର ଗରିବ ତଥା ପ୍ରତିଭାବାନ୍ SC ଓ ST ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର (PG) ଏବଂ ଉଚ୍ଚତର ଗବେଷଣା (Ph.D) ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟକୁ ପଠାଯିବ। ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନକାରୀଙ୍କ ପାରିବାରିକ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ।
ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟରେ ପଢ଼ିବେ ଓଡ଼ିଆ ପିଲା
ଏହି ଶିକ୍ଷା ବୃତ୍ତି ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀମାନେ QS ୱାର୍ଲ୍ଡ ରାଙ୍କିଂ (QS World University Rankings) ର ଶ୍ରେଷ୍ଠ ୨୦୦ଟି ବିଦେଶୀ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ସୁଯୋଗ ପାଇବେ। ସେମାନଙ୍କର ଶିକ୍ଷା ଦେୟ (Tuition Fees), ରହିବା ଓ ଖାଇବା ସମେତ ସମସ୍ତ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ମୋଟ ୫୦ ଜଣ ଛାତ୍ରଛାତ୍ରୀ ପାଇବେ ସୁବିଧା
ଏହି ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଚଳିତ ଶିକ୍ଷାବର୍ଷରେ ମୋଟ ୫୦ ଜଣ SC ଓ ST ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ଯୋଜନା ଅଧୀନରେ ବିଦେଶ ପଠାଯିବାର ଲକ୍ଷ୍ୟ ରଖାଯାଇଛି। ଅଧିକରୁ ଅଧିକ ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ଏହି ଯୋଜନାର ଫାଇଦା ନେଇପାରିବେ, ସେଥିପାଇଁ ଆବେଦନ ସମୟସୀମାକୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।