ୱାଶିଂଟନ୍: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଘନେଇବାରେ ଲାଗିଛି ଯୁଦ୍ଧର କଳାବାଦଲ। ଶାନ୍ତି ଆଲୋଚନା ଚାଲିଥିବା ସମୟରେ ଆମେରିକା ଏବଂ ଇରାନ ମୁହାଁମୁହିଁ ହୋଇଛନ୍ତି। ଷ୍ଟ୍ରେଟ୍ ଅଫ୍ ହୋରମୁଜ୍ ନିକଟରେ ଇରାନର 'ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ' (IRGC) ର ବହୁ ଗୁରୁତ୍ୱପୂର୍ଣ୍ଣ ଘାଟି ଉପରେ ଆମେରିକା ପ୍ରଚଣ୍ଡ ବିମାନ ଆକ୍ରମଣ କରିଛି। ହୋରମୁଜ୍ରେ ବାଣିଜ୍ୟିକ ଜାହାଜ ଏବଂ ଆମେରିକୀୟ ସୈନ୍ୟଙ୍କ ଉପରେ ଇରାନ ପକ୍ଷରୁ କରାଯାଇଥିବା ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ ସୂଚନା ଦେଇଛି।
ଚାବାହାରରୁ ବନ୍ଦର ଅବ୍ବାସ ଯାଏଁ ଥରିଲା ଇରାନ
ଇରାନ ଗଣମାଧ୍ୟମ ଏବଂ IRGC ସହ ଜଡ଼ିତ ଟେଲିଗ୍ରାମ ଚ୍ୟାନେଲ ଅନୁସାରେ, ଆମେରିକାର ଏହି ଏୟାରଷ୍ଟ୍ରାଇକ୍ ପରେ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଇରାନର ବ୍ୟାପକ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଚାବାହାର, ବନ୍ଦର ଅବ୍ବାସ, କୋଣାରକ, କେଶ୍ମ, ଜାସ୍କ, ସିରିକ ଏବଂ ମିନାବ ଭଳି ପ୍ରମୁଖ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବହୁମାତ୍ରାରେ ଟାର୍ଗେଟ୍ କରାଯାଇଛି।
ଜୋର୍ଡାନରେ ଆମେରିକୀୟ ଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼
ଏହାପୂର୍ବରୁ ଇରାନ ପକ୍ଷରୁ ଜୋର୍ଡାନରେ ଥିବା ଆମେରିକୀୟ ସୈନ୍ୟ ଘାଟି ଉପରେ ଅନ୍ତତଃ ୮ଟି ବାଲିଷ୍ଟିକ୍ ମିସାଇଲ ମାଡ଼ କରାଯାଇଥିଲା। ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, IRGC କିଙ୍ଗ ହୁସେନ୍ ଏବଂ ଅଲ-ଅଜରାକରେ ଥିବା ଆମେରିକୀୟ ସୈନ୍ୟ ଘାଟିକୁ ନିଶାନା କରିଥିଲା। ଆମେରିକା ଲାରକ ଦ୍ୱୀପରେ ଇରାନର ମିସାଇଲ ଲଞ୍ଚର ଉପରେ କରିଥିବା ଆକ୍ରମଣର ଜବାବରେ ଇରାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି।
ଟ୍ରମ୍ପଙ୍କ କଡ଼ା ଚେତାବନୀ
ଇରାନର ଏହି ଦୁଃସାହସିକ ପଦକ୍ଷେପ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକା ଇରାନ ଉପରେ ଶକ୍ତ ପ୍ରହାର କରିବ। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୪ରୁ ଇରାନ ବନ୍ଦରଗୁଡ଼ିକରୁ ଜାହାଜ ଚଳାଚଳ ଉପରେ କଟକଣା ଲାଗିବା ପରେ ଇରାନ ହୋରମୁଜ୍ ପ୍ରଣାଳୀରେ ଆଠଟି ବାଣିଜ୍ୟିକ ଜାହାଜକୁ ଆକ୍ରମଣ କରିସାରିଛି। ଇରାନ ମଧ୍ୟ ଗଲ୍ଫ ଦେଶଗୁଡ଼ିକରୁ ହେଉଥିବା ତୈଳ ରପ୍ତାନି ବନ୍ଦ କରିଦେବାକୁ ଚେତାବନୀ ଦେଇଛି, ଯାହା ବିଶ୍ୱ ବଜାରରେ ନୂଆ ସଙ୍କଟ ସୃଷ୍ଟି କରିଛି।