ନୂଆଦିଲ୍ଲୀ: କିର୍ଗିଜସ୍ତାନର ରାଜଧାନୀ ବିଷକେକ୍ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ସୋମବାର ଆୟୋଜିତ ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଭାରତ-ରୁଷ ସମ୍ପର୍କ, ଦ୍ୱିପାକ୍ଷିକ ବାଣିଜ୍ୟ, ଆଞ୍ଚଳିକ କନେକ୍ଟିଭିଟି ଏବଂ ୟୁକ୍ରେନ ସଙ୍କଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।
ୟୁକ୍ରେନ ସଙ୍କଟ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମଗ୍ର ମାନବଜାତିର କଲ୍ୟାଣ ପାଇଁ ବିଶ୍ୱକୁ ଏବେ 'ଅନ୍ତହୀନ ଯୁଦ୍ଧରୁ ଯୁଦ୍ଧର ଅନ୍ତ' (Endless War to End of War) ଆଡ଼କୁ ଗତି କରିବାକୁ ପଡ଼ିବ। ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନ କରାଯାଇପାରିବ। ଭାରତ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ସମସ୍ତ ଉଦ୍ୟମକୁ ସଦାସର୍ବଦା ସମର୍ଥନ କରିଆସିଛି ଏବଂ ଆଗକୁ ମଧ୍ୟ ସହଯୋଗ ଜାରି ରଖିବ।
ମୋଦୀଙ୍କୁ ପୁଟିନଙ୍କ ପ୍ରଶଂସା, ସେପ୍ଟେମ୍ବରରେ ଭାରତ ଗସ୍ତ
ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦେଶ ମଧ୍ୟରେ ସୁଦୃଢ଼ ହେଉଥିବା ବନ୍ଧୁତା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ବୈଶ୍ୱିକ କଟକଣା ସତ୍ତ୍ୱେ ଭାରତ ଏବଂ ରୁଷ ମଧ୍ୟରେ ବାଣିଜ୍ୟିକ କାରବାରରେ ୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଏହାସହ ୨୦୨୫ ମସିହାରେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟକଙ୍କ ଯାତାୟାତରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି।
ଆଗାମୀ ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା 'ବ୍ରିକ୍ସ' ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ପୁଟିନ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ଦ୍ୱାରା ଦୁଇ ଦେଶର କୂଟନୈତିକ ଏବଂ ଆର୍ଥିକ ସମ୍ପର୍କ ଆହୁରି ମଜବୁତ୍ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
Also Read: ଯୋଗୀଙ୍କ ବୁଥ୍ ଆଲର୍ଟ, ସ୍ମୃତିଙ୍କ ଡିଜିଟାଲ୍ ୱାର୍… ୨୦୨୭ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ