ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)। ଆସନ୍ତାକାଲି ଅର୍ଥାତ୍ ବୁଧବାରଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ସମସ୍ତ ଯୋଗାଣ ସହାୟକ। ଦରମା ବୃଦ୍ଧି ଏବଂ ଚାକିରି ସର୍ତ୍ତାବଳୀରେ ସୁଧାର ଆଣିବା ଦାବିରେ 'ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ' ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।
ମାସକୁ ମାତ୍ର ୮ ହଜାର ଟଙ୍କାରେ ଚଳିବା ଅସମ୍ଭବ
ସଂଘ ପକ୍ଷରୁ କୁହାଯାଇଛି ଯେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗରିବ ହିତାଧିକାରୀଙ୍କ ପାଖରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଚାଉଳ ଓ ଗହମ ପହଞ୍ଚାଇବାରେ ଯୋଗାଣ ସହାୟକମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ମାତ୍ର ଏତେ ପରିଶ୍ରମ ପରେ ବି ସେମାନଙ୍କୁ ମାସକୁ ମାତ୍ର ୮ ହଜାର ଟଙ୍କା ପାରିଶ୍ରମିକ ମିଳୁଛି, ଯାହାକି ଆଜିକାଲିର ମହଙ୍ଗା ଯୁଗରେ ପରିବାର ଚଳାଇବା ପାଇଁ ଅତ୍ୟନ୍ତ ନଗଣ୍ୟ। ଏହାବାଦ୍ ସେମାନଙ୍କ ପାଖରେ କୌଣସି ଚାକିରି ସୁରକ୍ଷା ନାହିଁ।
ସରକାରଙ୍କୁ ୬ ଦିନର ମହଲତ, ନଚେତ୍ ଆନ୍ଦୋଳନ
ଯୋଗାଣ ସହାୟକଙ୍କ ଚାକିରିକୁ ନିୟମିତ କରିବା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏଥିସହ ଆଗାମୀ ୬ ଦିନ ମଧ୍ୟରେ ରାଜ୍ୟ ସରକାର ଦରମା ବୃଦ୍ଧି ନେଇ କୌଣସି ସକାରାତ୍ମକ ନିଷ୍ପତ୍ତି ନନେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଯଦି ଦାବି ପୂରଣ ନହୁଏ, ତେବେ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ଆନ୍ଦୋଳନ ଓ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।
Also Read: ବିଦେଶରେ ଉଚ୍ଚଶିକ୍ଷା ପାଇଁ SC-ST ଛାତ୍ରଛାତ୍ରୀଙ୍କୁ ବଡ଼ ସୁଯୋଗ: ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର