ଫୁଲବାଣୀ: ନିଃସନ୍ତାନ ଦମ୍ପତିଙ୍କୁ ଗର୍ଭଧାରଣରେ ସାହାଯ୍ୟ କରିବା ପାଇଁ ଔଷଧ ଦେଇ ହତ୍ୟା ଅଭିଯୋଗରେ ଜଣେ ଠକ ବାବା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି।
ଗତ ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ୍ କଟ୍ରିଙ୍ଗିଆ ଗ୍ରାମପଚାୟତ ଅନ୍ତର୍ଗତ ନେଡିପଙ୍ଗା ଗ୍ରାମରେ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା। ବିବାହର ୨୦ ବର୍ଷ ପରେ କୌଣସି ସନ୍ତାନ ନ ହେବାରୁ ତଥାକଥିତ ଗୁଣିଆର ଔଷଧ ଖାଇ ପ୍ରଥମେ ସ୍ତ୍ରୀ ଲଳିତା କହଁର ଓ ପରେ ସ୍ୱାମୀ କାହ୍ନୁ ଚରଣ କହଁରଙ୍କ ମୃତ୍ୟୁ ହୋଇଥିଲା।
ଏ ସଂପର୍କରେ ପୋଲିସ ତନାଘନା କରିବା ସହିତ ଦୁଇଟି ଟିମ୍ ଗଠନ କରି ଫେରାର ହୋଇଥିବା ଠକ ଗୁଣିଆ ଓ ତାର ସହଯୋଗୀ କୁ ଗିରଫ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି ଏସପି। ଏନେଇ ଫୁଲବାଣୀ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି। ଗୁଣିଆ ଓ ଔଷଧ ମିଛ କହି ନେଇଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଫେରସ୍ତ ମାଗିବାରୁ ପରେ ଔଷଧ କହି କୀଟନାଶକ ବିଷ ଦେଇ ହତ୍ୟା କରିଥିବା କହିଛନ୍ତି ଏସପି। ଗିରଫ ଗୁଣିଆ ରାଇକିଆ ଥାନା ଅନ୍ତର୍ଗତ କାଲିନାଯୁ ଗାଁର ମିଥୁନ ଦିଗାଲ ଓରଫ୍ ଅନିଲ ପ୍ରଧାନ ଓ ତାର ସହଯୋଗୀ ସେତୟ କହଁର। ମିଥୁନ ନାଁରେ ତାମିଲନାଡୁରେ ଦୁଇଟି ଗଞେଇ ମାମଲା ରହିଛି। ମୃତ ମହିଳାଙ୍କ ସହିତ ତାର ଅନୈତିକ ସମ୍ପର୍କ ଥିବା ପୋଲିସ ସୂଚନା ଦେଇଛି। ଏହି ମାମଲାରେ ଚାରିଟି ମୋବାଇଲ,ଗୋଟିଏ ସ୍କୁଟି ଓ ବିଷ ମିଶ୍ରିତ ବୋତଲ ଜବତ୍ କରାଯାଇଛି।