ନୂଆଦିଲ୍ଲୀ: ବିଶ୍ୱ ଫୁଟବଲର କିମ୍ବଦନ୍ତୀ ଖେଳାଳି ଲିଓନେଲ ମେସି ସୋମବାର ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ଘୋଷଣା କରି ସମଗ୍ର କ୍ରୀଡ଼ା ଜଗତକୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ଚିଠି ସେୟାର କରି ସେ ନିଜର ୨୧ ବର୍ଷର ଦୀର୍ଘ ଆନ୍ତର୍ଜାତୀୟ ଯାତ୍ରାର ଅନ୍ତ ଘଟାଇଛନ୍ତି। ମେସିଙ୍କ ବିଦାୟ ପରେ ଏବେ ତାଙ୍କର ବିପୁଳ ସମ୍ପତ୍ତି ଓ ରୋଜଗାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତର ଦୁଇ ତାରକା କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ତୁଳନାରେ ମେସି କେତେ ଆଗରେ, ଆସନ୍ତୁ ଜାଣିବା।
ମେସିଙ୍କ ମୋଟ ସମ୍ପତ୍ତି କେତେ ?
ଫୁଟବଲ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଓ ସମୃଦ୍ଧ ଖେଳ। ତେଣୁ ଏହି ଖେଳର ଶୀର୍ଷରେ ଥିବା ମେସିଙ୍କ ରୋଜଗାର ମଧ୍ୟ ଆକାଶଛୁଆଁ। ବିଭିନ୍ନ ରିପୋର୍ଟ ଅନୁଯାୟୀ, ୨୦୨୬ ସୁଦ୍ଧା ମେସିଙ୍କ ମୋଟ ସମ୍ପତ୍ତି ପ୍ରାୟ ୧.୧ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୦,୪୫୦ କୋଟି ଟଙ୍କା)।
ବିରାଟ କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ବି ମେସିଙ୍କ ବାର୍ଷିକ ଆୟ ଅଧିକ !
'ଫୋର୍ବସ' ୨୦୨୬ର ସୂଚୀ ଅନୁଯାୟୀ, ମେସି ବିଶ୍ୱର ସବୁଠାରୁ ଅଧିକ ରୋଜଗାର କରୁଥିବା ଆଥଲେଟ୍ଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ଗୋଟିଏ ବର୍ଷର ଆୟ ପ୍ରାୟ ୧୪୦ ମିଲିୟନ ଡଲାର (ପ୍ରାୟ ୧୩୦୦ କୋଟି ଟଙ୍କାରୁ ଅଧିକ)।
ଅନ୍ୟପଟେ, ଭାରତର ସୁପରଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୦୫୦ କୋଟି ଟଙ୍କା। ଅର୍ଥାତ୍, ବିରାଟଙ୍କ କ୍ୟାରିୟରର ମୋଟ ସମ୍ପତ୍ତିଠାରୁ ମେସିଙ୍କ ଗୋଟିଏ ବର୍ଷର ରୋଜଗାର ଯଥେଷ୍ଟ ଅଧିକ।
ରୋହିତ ଶର୍ମାଙ୍କଠାରୁ କେତେ ଆଗରେ ?
ଭାରତୀୟ କ୍ରିକେଟର ଅଧିନାୟକ ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୩୦ କୋଟି ଟଙ୍କା ବୋଲି ଆକଳନ କରାଯାଏ। ଏହି ହିସାବରେ ମେସିଙ୍କ ଗୋଟିଏ ବର୍ଷର ରୋଜଗାର ରୋହିତଙ୍କ ମୋଟ ସମ୍ପତ୍ତିଠାରୁ ପ୍ରାୟ ୬ ଗୁଣରୁ ଅଧିକ।
କେଉଁଠୁ ଆସେ ଏତେ ଟଙ୍କା ?
ମେସିଙ୍କ ବାର୍ଷିକ ୧୪୦ ମିଲିୟନ ଡଲାର ରୋଜଗାରରୁ ପ୍ରାୟ ଅଧା ଅଂଶ (୭୦ ମିଲିୟନ ଡଲାର) ଫୁଟବଲ ମଇଦାନରୁ (ଦରମା ଓ ବୋନସ୍) ଆସୁଥିବା ବେଳେ, ବାକି ୭୦ ମିଲିୟନ ଡଲାର ମଇଦାନ ବାହାରୁ ଅର୍ଥାତ୍ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ବିଜ୍ଞାପନ ଏବଂ ବ୍ୟବସାୟିକ ନିବେଶରୁ ଆସିଥାଏ।