ନୂଆଦିଲ୍ଲୀ: ସାରା ବିଶ୍ୱର ଫୁଟବଲ ପ୍ରେମୀଙ୍କୁ ସ୍ତବ୍ଧ କରିଦେବା ଭଳି ଖବର। ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ସୋମବାର ଏକ ୩ ପୃଷ୍ଠାର ଆବେଗ ପୂର୍ଣ୍ଣ ଚିଠି ଲେଖି ସେ ଆନ୍ତର୍ଜାତୀୟ ଫୁଲବଲକୁ ଅଲବିଦା କହିଛନ୍ତି। ନିକଟରେ ଶେଷ ହୋଇଥିବା ୨୦୨୬ ଫିଫା ବିଶ୍ୱକପ୍ ଫାଇନାଲରେ ଆର୍ଜେଣ୍ଟିନା ଦଳ ସ୍ପେନ୍ ନିକଟରୁ ପରାଜିତ ହେବା ପରେ ମେସିଙ୍କ ଏହି ଆକସ୍ମିକ ନିଷ୍ପତ୍ତି ସମଗ୍ର କ୍ରୀଡ଼ା ଜଗତକୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।
'ଦେଶ ପାଇଁ ମୋର ସବୁକିଛି ସମର୍ପି ଦେଇଛି'
ସନ୍ନ୍ୟାସ ସମ୍ପର୍କରେ ନିଜ ଚିଠିରେ ମେସି ଲେଖିଛନ୍ତି, "ବିଶ୍ୱକପ୍ ଫାଇନାଲ ପରେ ଅନେକ ଭାବିଚିନ୍ତି ମୁଁ ଜାତୀୟ ଦଳରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ମୋତେ ଗଭୀର ଆଘାତ ଦେଇଛି, କିନ୍ତୁ ବିଦାୟ ନେବାର ଏହା ହିଁ ସଠିକ୍ ସମୟ ବୋଲି ମୁଁ ଅନୁଭବ କରୁଛି।"
ସେ ଆହୁରି ମଧ୍ୟ ଲେଖିଛନ୍ତି, "ମୁଁ ଦେଶ ପାଇଁ ନିଜର ସବୁକିଛି ସମର୍ପି ଦେଇଥିଲି। କେବଳ ସଫଳତା ପାଇବା ସମୟରେ ନୁହେଁ, ବରଂ ତା' ପୂର୍ବରୁ ମଧ୍ୟ ପ୍ରତ୍ୟେକଟି ମ୍ୟାଚ୍ରେ ଦେଶର ନୀଳ-ଧଳା ଜର୍ସି ପାଇଁ ଆପ୍ରାଣ ଚେଷ୍ଟା କରିଛି। ଆର୍ଜେଣ୍ଟିନାବାସୀଙ୍କୁ ଖୁସି ଦେବା ଏବଂ ଗର୍ବିତ କରିବା ମୋର ମୁଖ୍ୟ ଲକ୍ଷ୍ୟ ଥିଲା। ଏବେ ଜୀବନର ଏହି ଅଧ୍ୟାୟ ଶେଷ ହେବାକୁ ଯାଉଛି। ଜାତୀୟ ଦଳ ପାଇଁ ଖେଳିବା ମୋ ପାଇଁ ସବୁବେଳେ ଗର୍ବର ବିଷୟ ଥିଲା, କିନ୍ତୁ ଏବେ ଆଉ ଦେବାକୁ ମୋ ପାଖରେ କିଛି ବାକି ନାହିଁ।"
ଏମିତି ଥିଲା ମେସିଙ୍କ ଆନ୍ତର୍ଜାତୀୟ କ୍ୟାରିୟର
ପଦାର୍ପଣ: ଅଗଷ୍ଟ ୨୦୦୫
ମୋଟ ମ୍ୟାଚ୍: ୨୦୭
ମୋଟ ଗୋଲ୍: ୧୨୫
ଗୋଲ୍ ଆସିଷ୍ଟ: ୬୮
ଖେଳିଥିବା ସମୟ: ୧୭,୧୨୦ ମିନିଟ୍
ବିଶ୍ୱକପ୍ ରେକ୍ଡ: ୩୪ଟି ବିଶ୍ୱକପ୍ ମ୍ୟାଚ୍ରେ ୨୧ଟି ଗୋଲ୍
ସୂଚନାଯୋଗ୍ୟ, ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୨୨ ଫିଫା ବିଶ୍ୱକପ୍ ଚାମ୍ପିୟନ୍ ହୋଇ ଐତିହାସିକ ସଫଳତା ହାସଲ କରିଥିଲା। ଏପରିକି ୨୦୨୬ ଫିଫା ବିଶ୍ଵକପରେ ତାଙ୍କ ନେତୃତ୍ଵରେ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଥିଲା। ମେସିଙ୍କ ଅବସର ସହ ଆନ୍ତର୍ଜାତୀୟ ଫୁଟବଲର ଏକ ସ୍ୱର୍ଣ୍ଣିମ ଯୁଗର ଅନ୍ତ ଘଟିଛି।