ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଦଳ ଘୋଷଣା କରିଛି। ଏହି ୧୫ ଜଣିଆ ସ୍ୱାଡ୍ରେ ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବା ବେଳେ ଆହତ ସମସ୍ୟା ଯୋଗୁଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡ଼ିଛନ୍ତି।
ଫିଟ୍ ହୋଇ ଦଳକୁ ଫେରିଲେ ଆହତ ଖେଳାଳି
ଟିମ୍ ଇଣ୍ଡିଆ ପାଇଁ ଖୁସିର ବିଷୟ ଯେ ଦୀର୍ଘ ଦିନ ଧରି ଆହତ ସମସ୍ୟା ଦେଇ ଗତି କରୁଥିବା ଏକାଧିକ ତାରକା ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ହୋଇ ମଇଦାନକୁ ଓହ୍ଲାଉଛନ୍ତି। ବୁମରାଙ୍କ ବ୍ୟତୀତ ଦ୍ରୁତ ବୋଲିଂ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ, ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବଂ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆଫଗାନିସ୍ତାନ ସିରିଜ୍ ଜରିଆରେ ଆନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
୪ ଅଲରାଉଣ୍ଡର ଓ ୨ ପ୍ରମୁଖ ସ୍ପିନର
ଘୋଷିତ ୧୫ ଜଣିଆ ଦଳରେ ନୀତିଶ କୁମାର ରେଡ୍ଡୀ, ଶିବମ୍ ଦୁବେ, ଅକ୍ଷର ପଟେଲ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଭଳି ୪ ଜଣ ଅଲରାଉଣ୍ଡରଙ୍କୁ ସ୍ଥାନ ମିଳିଛି। ସେହିପରି ପ୍ରମୁଖ ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇ ରହିଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ବୁମ୍ରାଙ୍କ ସହ ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣାଙ୍କୁ ସ୍ଥାନ ମିଳିଛି। ଏହାବାଦ୍ ୬ ଜଣ ବିଶେଷଜ୍ଞ ବ୍ୟାଟରଙ୍କୁ ଚୟନ କରାଯାଇଛି।
ସମସ୍ତ ମ୍ୟାଚ୍ ଦିଲ୍ଲୀରେ, ଆଫଗାନିସ୍ତାନ ଆୟୋଜକ
ଏହି ଟି-୨୦ ସିରିଜ୍ର ଆୟୋଜକ ଆଫଗାନିସ୍ତାନ କରୁଥିଲେ ସୁଦ୍ଧା ସମସ୍ତ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।
ସିରିଜର ସମ୍ପୂର୍ଣ୍ଣ ସୂଚୀ
ପ୍ରଥମ ଟି-୨୦: ୧୩ ସେପ୍ଟେମ୍ବର (ଅରୁଣ ଜେଟ୍ଲୀ ଷ୍ଟାଡିୟମ୍, ଦିଲ୍ଲୀ)
ଦ୍ୱିତୀୟ ଟି-୨୦: ୧୫ ସେପ୍ଟେମ୍ବର (ଅରୁଣ ଜେଟ୍ଲୀ ଷ୍ଟାଡିୟମ୍, ଦିଲ୍ଲୀ)
ତୃତୀୟ ଟି-୨୦: ୧୭ ସେପ୍ଟେମ୍ବର (ଅରୁଣ ଜେଟ୍ଲୀ ଷ୍ଟାଡିୟମ୍, ଦିଲ୍ଲୀ)
ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ
ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ୍ (ୱିକେଟକିପର), ଇଶାନ କିଷାନ (ୱିକେଟକିପର), ତିଲକ ବର୍ମା, ଶିବମ୍ ଦୁବେ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣା।