କଟକ : ବାଙ୍କୀ ଢସଂର ଓ ଡମପଡ଼ାରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଏବେ ଉକ୍ତ ଅଞ୍ଚଳରେ ଡେଙ୍ଗୁ ଆତଙ୍କ ଖେଳିଯାଇଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବାବେଳେ ଆଉ ଜଣେ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଦେଲେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ। ଢସଂର ଗାଁର ଜଣେ ଓ ଡମପଡ଼ାର ଜଣେ ସୁସ୍ଥ ହୋଇ ଫେରିଛନ୍ତି। ଢସଂର ଗାଁର ଅନ୍ୟ ଜଣେ ଏବେ ଚିକିତ୍ସିତ ହେଉଥିବା ସୂଚନା ରହିଛି।
ସେମାନଙ୍କ ଭିତରୁ ଜଣେ ରାଜ୍ୟ ବାହାରେ ରହି କାର୍ଯ୍ୟ କରୁଥିବା ବେଳେ କିଛିଦିନ ହେବ ଗାଁକୁ ଆସିଛନ୍ତି। ଜ୍ଵରରେ ପଡ଼ି ସେ ରକ୍ତ ପରୀକ୍ଷା କରିବା ପରେ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଗତ ମାସ ୨୯ ତାରିଖରେ ଚିକିତ୍ସା ପାଇଁ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି।
ଡେଙ୍ଗୁ ହେଉଛି ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପୁଥିବା ଏକ ଭାଇରାଲ୍ ଜ୍ୱର। ଏହି ମଶାମାନେ ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି ଏବଂ ପରିଷ୍କାର ଜଳରେ ଅଣ୍ଡା ଦେଇ ବଂଶ ବୃଦ୍ଧି କରନ୍ତି।
ପ୍ରତିକାର ଓ ସତର୍କତା :ଜମା ଜଳ ହଟାନ୍ତୁ: ଘର ଆଖପାଖରେ କିମ୍ବା ପାତ୍ର, ଟାଙ୍କି, କୁଣ୍ଡରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ମଶାରୀ ବ୍ୟବହାର କରନ୍ତୁ ଏବଂ ମଶା ତଡ଼ା କ୍ରିମ୍ ବା ଲୋସନ୍ ଲଗାନ୍ତୁ।ପୋଷାକ: ଶରୀର ସମ୍ପୂର୍ଣ୍ଣ ଘୋଷ୍ଠି ହୋଇ ରହିବା ଭଳି ପୋଷାକ ପିନ୍ଧନ୍ତୁ। ଡେଙ୍ଗୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂପର୍ଯ୍ୟାପ୍ତ ପରିମାଣରେ ପାଣି ଓ ତରଳ ପଦାର୍ଥ ସେବନ କରନ୍ତୁ।