ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ MKCG ମେଡିକାଲ୍ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ MBBS ଛାତ୍ର ଗତ ୩ ଦିନ ଧରି ନିଖୋଜ ଥିବା ଘଟଣା କ୍ୟାମ୍ପସରେ ଚିନ୍ତାର କାରଣ ହୋଇଛି। ନିଖୋଜ ଛାତ୍ର ହେଲେ ସାଗର ସାହୁ, ଯିଏ ଯାଜପୁର ଜିଲ୍ଲାର ବାସିନ୍ଦା।
ସୂଚନା ଅନୁଯାୟୀ, ଅଗଷ୍ଟ ୩୧ ତାରିଖରୁ ସାଗରଙ୍କ କୌଣସି ଖୋଜଖବର ମିଳିନାହିଁ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ନ ମିଳିବାରୁ MKCG କଲେଜ କର୍ତ୍ତୃପକ୍ଷ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ବ୍ରହ୍ମପୁର ରେଳ ଷ୍ଟେସନ୍ ନିକଟ ଅଞ୍ଚଳରୁ ସାଗରଙ୍କ ମୋବାଇଲ୍ ଫୋନ୍ ଜବତ କରିଛି। ତେବେ ଛାତ୍ରଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ।
ସାଗର ନିଖୋଜ ହେବା ପୂର୍ବରୁ କେଉଁଠି ଯାଇଥିଲେ ଏବଂ କାହା ସହ ଯୋଗାଯୋଗରେ ଥିଲେ, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ ଉଦ୍ବେଗ ଦେଖାଦେଇଛି।