ନୂଆଦିଲ୍ଲୀ: “ଓଡ଼ିଶାର ଅର୍ଥନୀତିର ମୂଳ ଆଧାର କୃଷି, ସେଥିପାଇଁ ଆମ ସରକାର ଜଳ ନିରାପତ୍ତା ଓ ସେଚ୍ଚ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛି,” ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ବିଭାଗୀୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୪,୦୦୦ କୋଟି ଟଙ୍କାର ଜଳଭିତ୍ତିଭୂମି ପ୍ରକଳ୍ପ ଅନୁମୋଦନ ହୋଇଛି। ଏହା ସହ ୩.୨୦ଲକ୍ଷ ହେକ୍ଟର କୃଷି ଜମିକୁ ଜଳସେଚନ ସୁବିଧା ମିଳିଛି।
ମୁଖ୍ୟମନ୍ତ୍ରୀ ରାଜ୍ୟର ଜଳ ସଂରକ୍ଷଣ ଓ ଭୂତଳ ଜଳ ପରିଚାଳନାର ସଫଳତା ଉପସ୍ଥାପନ କରି କହିଛନ୍ତି, ଏପର୍ଯ୍ୟନ୍ତ ୭୭୦ଟି ନୂଆ ଚେକ୍ ଡ୍ୟାମ୍, ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍, ଏବଂ ୧,୩୧୨ଟି ପୁରୁଣା ଚେକ୍ ଡ୍ୟାମ୍ ର ପୁନରୁଦ୍ଧାର କରାଯାଇଛି। ସେହିପରି ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ୍, ୬ଟି ମେଗା ଲିଫ୍ଟ ଓ ୩୨ଟି କ୍ଷୁଦ୍ର ସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି।
ଗ୍ରାମୀଣ କୃଷିକୁ ସଶକ୍ତ କରିବା ପାଇଁ ୩,୨୨୪ କମ୍ୟୁନିଟି ଲିଫ୍ଟ ଇରିଗେସନ୍, ୨୦,୨୨୮ ଡିପ୍ ବୋରୱେଲ୍ ଏବଂ ୮,୯୧୭ ସୋଲାର ଡିପ୍ ବୋରୱେଲ୍ ନିର୍ମାଣ ହୋଇଛି। ‘ଛତା’ ଯୋଜନାରେ ୨୦ ହଜାର ରୁଫଟପ୍ ବର୍ଷାଜଳ ସଂଗ୍ରହ ବ୍ୟବସ୍ଥା ଓ ‘ଆରୁଆ’ ଯୋଜନାରେ ୧,୨୦୦ ରିଚାର୍ଜ ୱେଲ୍ ମଧ୍ୟ ନିର୍ମାଣ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସବୁ ପଦକ୍ଷେପ ପାଇଁ ଓଡ଼ିଶା ୫ମ ଜାତୀୟ ଜଳ ପୁରସ୍କାରରେ ‘ଶ୍ରେଷ୍ଠ ରାଜ୍ୟ’ ସମ୍ମାନ ପାଇଛି। ବହୁ ବର୍ଷ ଧରି ଅଟକି ରହିଥିବା କାନୁପୁର ପ୍ରକଳ୍ପ ମଧ୍ୟ ବର୍ତ୍ତମାନ ସଫଳତାର ସହ ଆଗକୁ ବଢ଼ୁଛି। ଏହା ସମ୍ପୂର୍ଣ୍ଣ ହେଲେ ୨୫,୦୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ।