କଟକ: ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ହ୍ରାସ କରିବା ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ୨୦୨୬ ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହକୁ 'ଶୂନ ମୃତ୍ୟୁ ସପ୍ତାହ' ଭାବେ ପାଳନ କରାଯାଉଛି।
ଏହି ଅଭିଯାନର ପ୍ରଥମ ଦିନରେ ହିଁ ପରିବହନ ଓ ପୋଲିସ ବିଭାଗର ମିଳିତ ଏନଫୋର୍ସମେଣ୍ଟ ଟିମ୍ ରାଜ୍ୟବ୍ୟାପୀ କଡ଼ା ଯାଞ୍ଚ କରି ମୋଟ ୪୪,୭୪୬ଟି ଇ-ଚାଲାଣ ଜାରି କରିଛି। ଏହି ଯାଞ୍ଚ ସମୟରେ ବିନା ହେଲମେଟ୍ ପାଇଁ ୨୫,୨୮୨ଟି, ଦ୍ରୁତଗତି ପାଇଁ ୪,୧୬୦ଟି, ଟ୍ରିପଲ୍ ରାଇଡିଂ ପାଇଁ ୧,୩୮୩ଟି ଏବଂ ବୈଧ ବୀମା ନଥାଇ ଗାଡ଼ି ଚାଳନା ପାଇଁ ୧,୨୧୬ଟି ଚାଲାଣ କଟାଯାଇଛି।
ଏହାବାଦ୍ ବିନା ସିଟବେଲ୍ଟ ପାଇଁ ୭୦୩ଟି, ବିନା ପରମିଟ୍ ପାଇଁ ୫୪୯ଟି, ଭୁଲ୍ ଦିଗରେ ଗାଡ଼ି ଚାଳନା ପାଇଁ ୧୫୭ଟି, ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ୯୧ଟି ଏବଂ ଅନ୍ୟାନ୍ୟ ନିୟମ ଉଲ୍ଲଙ୍ଘନ ପାଇଁ ୫୦୦ରୁ ଅଧିକ ଚାଲାଣ ଜାରି ହୋଇଛି। ପ୍ରଥମ ଦିନର ଚେକିଂରେ ଝାରସୁଗୁଡ଼ା ଆରଟିଓ ପକ୍ଷରୁ ସର୍ବାଧିକ ୫୭୧ଟି ଚାଲାଣ ଜାରି ହୋଇଥିବା ବେଳେ କଟକ ଆରଟିଓ ୫୧୬ଟି, ପୁରୀ ଆରଟିଓ ୫୧୧ଟି, ଗଞ୍ଜାମ ଆରଟିଓ ୪୧୫ଟି ଏବଂ ଭୁବନେଶ୍ୱର-୧ ଆରଟିଓ ପକ୍ଷରୁ ୪୧୦ଟି ଚାଲାଣ କଟାଯାଇଛି।
କେବଳ ଜରିମାନା ଆଦାୟ ନୁହେଁ, ବରଂ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି। ସୋନପୁର, ଭଦ୍ରକ, ତାଳଚେର ଏବଂ ଯାଜପୁର ଆଦି ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାସେବୀ ସଂଗଠନ ଓ ଗାଡ଼ିଚାଳକ ମହାସଂଘର ମିଳିତ ସହଯୋଗରେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି।
ଏହି ଅଭିଯାନରେ ଏନଫୋର୍ସମେଣ୍ଟ ଓ ସଚେତନତା ସହିତ ରୋଡ୍ ଇଞ୍ଜିନିୟରିଂ ଏବଂ ଜରୁରୀକାଳୀନ ଚିକିତ୍ସା ଉପରେ ମଧ୍ୟ ବିଶେଷ ଗୁରୁତ୍ଵ ଦିଆଯାଇଛି। ରାଜ୍ୟର ସମସ୍ତ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବା 'ବ୍ଲାକସ୍ପଟ୍' ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଆବଶ୍ୟକୀୟ ସୁଧାର କରାଯାଉଛି।
ସ୍ୱାସ୍ଥ୍ୟ ବିଭାଗ ସହ ମିଶି ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି, ଯେପରି ଦୁର୍ଘଟଣାଗ୍ରସ୍ତ ଲୋକେ 'ପିଏମ୍ ରାହତ ଯୋଜନା' ମାଧ୍ୟମରେ ବିନା କୌଣସି ବାଧାରେ ମାଗଣା ଚିକିତ୍ସା ସେବା ପାଇପାରିବେ। ଏହାବ୍ୟତୀତ, ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଉଥିବା ସହୃଦୟ ବ୍ୟକ୍ତିମାନଙ୍କୁ ସରକାରଙ୍କ ପକ୍ଷରୁ ‘ରାହାବୀର’ ଏବଂ ‘ଗୁଡ୍ ସମରିଟାନ’ ଭଳି ପୁରସ୍କାରରେ ସମ୍ମାନିତ କରାଯିବ ବେଳେ ସଡ଼କ ସୁରକ୍ଷା ପାଇଁ ସମସ୍ତେ ନିୟମ ପାଳନ କରିବାକୁ ପରିବହନ ବିଭାଗ ଅନୁରୋଧ କରିଛି।