ବଲାଙ୍ଗୀର : ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ପ୍ୟାକେଟକୁ ଢାଲ କରି ଗଞ୍ଜେଇ ଚୋରାଚାଲାଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବଲାଙ୍ଗୀର ପୋଲିସ। ଇ-କମର୍ସ ପାର୍ସଲ ଆଳରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ଏକ ବଡ଼ ରାକେଟ୍ର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ନେଟୱର୍କ ସହ ଜଡ଼ିତ ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ଜୋରଦାର ତଦନ୍ତ ଆରମ୍ଭ ହୋଇଛି ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବଲାଙ୍ଗୀର ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ର଼୍ୟାକେଟ୍ର ଖୁଲାସା କରିଛି। ଅଭିଯୁକ୍ତମାନେ ଆମାଜନ୍ ଡେଲିଭରି ବକ୍ସ ଏବଂ ଟେପ୍ ବ୍ୟବହାର କରି ଗଞ୍ଜେଇକୁ କଡ଼ା ପ୍ୟାକିଂ କରୁଥିଲେ, ଯାହାଦ୍ୱାରା ଯାଞ୍ଚ ସମୟରେ କୌଣସି ସନ୍ଦେହ ହେଉ ନଥିଲା।ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି ଅଞ୍ଚଳକୁ ଚାଲାଣ ହେଉଥିଲା। ୧୦ଟି ପ୍ୟାକେଟ୍ରୁ ୧୧୩ କେଜି ଗଞ୍ଜେଇ ଜବତ ହୋଇଛି।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସ୍ଥାନୀୟ ଅଞ୍ଚଳରୁ କମ୍ ମୂଲ୍ୟରେ ଗଞ୍ଜେଇ ସଂଗ୍ରହ କରି ଏହାକୁ ଅନଲାଇନ୍ ମାଧ୍ୟମରେ ଅର୍ଡର ଦର୍ଶାଇ ବାହାର ରାଜ୍ୟକୁ ଚଢ଼ା ଦରରେ ବିକ୍ରି କରାଯାଉଥିଲା। ପୋଲିସ ଏହି ଘଟଣାରେ ଏନଡିପିଏସ (NDPS) ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି। ଏଥିରେ କୌଣସି ଡେଲିଭରି ଏଜେଣ୍ଟ କିମ୍ବା କମ୍ପାନୀର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ କଲ୍ ଡିଟେଲ୍ସ ଓ ବ୍ୟାଙ୍କ ଟ୍ରାଞ୍ଜାକସନ ଯାଞ୍ଚ କରୁଛି ।