ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରାୟ ଶହେ ବର୍ଷରୁ ଅଧିକ ପୁରଣା ଏକ ଐତିହାସିକ ହିନ୍ଦୁ ମନ୍ଦିରକୁ ଭଙ୍ଗାଯାଇଥିବା ଘଟଣାକୁ ନେଇ ଭାରତ ସରକାର ଆପତ୍ତି ଏବଂ କ୍ଷୋଭ ପ୍ରକାଶ କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (MEA) ର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ନିନ୍ଦନୀୟ ଘଟଣାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଉପରେ କିଭଳି ଅତ୍ୟାଚାର ଜାରି ରହିଛି, ତାହା ପୁଣିଥରେ ପ୍ରମାଣିତ ହୋଇଛି ବୋଲି କହିଛନ୍ତି। ଏହି ମାମଲାରେ ତୁରନ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ପକ୍ଷରୁ ଦାବି କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, "ପାକିସ୍ତାନର ନାରୋୱାଲ ଜିଲ୍ଲାସ୍ଥିତ ସିରାଜ ଗାଁରେ ଏକ ଐତିହାସିକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ଖବର ଆମକୁ ଗଭୀର ଭାବେ ଚିନ୍ତିତ କରିଛି। ଏକ ଶତାବ୍ଦୀ ପୁରଣା ସଂଖ୍ୟାଲଘୁ ପୂଜାସ୍ଥଳୀ ବିରୋଧରେ କରାଯାଇଥିବା ଏହି ବର୍ବରତାକୁ ଆମେ ଦୃଢ଼ ନିନ୍ଦା କରୁଛୁ।" ପଡ଼ୋଶୀ ଦେଶର ପ୍ରଶାସନିକ ଉଦାସୀନତା ଯୋଗୁଁ ଏଭଳି ପୁରାତନ ମନ୍ଦିରଗୁଡ଼ିକୁ ସୁରକ୍ଷା ଦେବାରେ ସେମାନେ ବିଫଳ ହୋଇଛନ୍ତି ବୋଲି ସେ ମତ ଦେଇଛନ୍ତି।
ପାକିସ୍ତାନକୁ ଭାରତର କଡ଼ା ସମାଲୋଚନା
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆହୁରି କହିଛନ୍ତି ଯେ, ଏଭଳି ଅଘଟଣଗୁଡ଼ିକ ପ୍ରମାଣ କରୁଛି ଯେ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ କେତେ ପରିମାଣରେ ଅସୁରକ୍ଷିତ। ସେମାନଙ୍କ ଧର୍ମୀୟ ସ୍ୱାଧୀନତା ଏବଂ ପୂଜାସ୍ଥଳୀଗୁଡ଼ିକୁ କ୍ରମାଗତ ଭାବେ ଟାର୍ଗେଟ୍ କରାଯାଉଛି। ପାକିସ୍ତାନ ସରକାର ଏହି ଘଟଣାର ଏକ ସ୍ୱଚ୍ଛ ତଦନ୍ତ କରାଇ ଦୋଷୀମାନଙ୍କୁ ଚିହ୍ନଟ କରିବା ସହ ଭଙ୍ଗାଯାଇଥିବା ମନ୍ଦିରକୁ ପୁନଃନିର୍ମାଣ କରନ୍ତୁ ବୋଲି ଭାରତ ଦାବି କରିଛି। ଏହା ସହିତ ଦେଶରେ ବସବାସ କରୁଥିବା ସମସ୍ତ ସଂଖ୍ୟାଲଘୁଙ୍କ ସୁରକ୍ଷା ଏବଂ ସେମାନଙ୍କ ଧର୍ମସ୍ଥଳୀଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସରକାରଙ୍କ ମୁଖ୍ୟ ଦାୟିତ୍ୱ ବୋଲି ସେ ସ୍ମରଣ କରାଇ ଦେଇଛନ୍ତି।
ମନ୍ଦିର ଭଙ୍ଗାଯିବା ନେଇ ବିବାଦ
ଲାହୋରଠାରୁ ପ୍ରାୟ ୧୩୦ କିଲୋମିଟର ଦୂର ପଞ୍ଜାବ ପ୍ରଦେଶର ନାରୋୱାଲ ଜିଲ୍ଲା ଅନ୍ତର୍ଗତ ସିରାଜ ଗାଁରେ ଥିବା ଏହି ମନ୍ଦିରଟି ପ୍ରାୟ ୧୦୦ ରୁ ୧୨୫ ବର୍ଷ ପୁରଣା ଥିଲା। ସ୍ଥାନୀୟ ଲୋକମାନେ ଏବଂ ସଂଖ୍ୟାଲଘୁ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ କିଛି ଧର୍ମୀୟ କଟୁପନ୍ଥୀ ମନ୍ଦିରର ଜମିକୁ ପାଖରେ ଥିବା ଏକ ମାଦ୍ରାସା ସହିତ ମିଶାଇବା ପାଇଁ ଜାଣିଶୁଣି ଏହି ମନ୍ଦିରକୁ ଧ୍ୱଂସ କରିଛନ୍ତି।