ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ ବିଭାଗ ଏବଂ ସରକାରୀ ସଂସ୍ଥାଗୁଡ଼ିକରେ ବ୍ୟାପକ ଦୁର୍ନୀତି ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ୨୦୨୫ ବର୍ଷ ମଧ୍ୟରେ ସରକାରୀ ବିଭାଗଗୁଡ଼ିକ ବିରୋଧରେ ୭୦ ହଜାରରୁ ଅଧିକ ଦୁର୍ନୀତି ଅଭିଯୋଗ ଦାଖଲ ହୋଇଛି। ଏହି ତାଲିକାରେ ବ୍ୟାଙ୍କିଙ୍ଗ୍ ସେକ୍ଟର ଏବଂ ଭାରତୀୟ ରେଳବାଇ ସବୁଠାରୁ ଆଗରେ ରହିଛନ୍ତି। କେନ୍ଦ୍ରୀୟ ସତର୍କତା ଆୟୋଗ (CVC)ର ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
CVC ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ମୁଖ୍ୟ ସତର୍କତା ଅଧିକାରୀ (CVO)ମାନଙ୍କୁ ସମୁଦାୟ ୭୦,୫୮୪ଟି ଦୁର୍ନୀତି ଅଭିଯୋଗ ମିଳିଥିଲା। ସେଥିମଧ୍ୟରୁ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ୬୪,୯୦୫ଟି ମାମଲାର ସମାଧାନ କରାଯାଇଥିବା ବେଳେ ବର୍ଷ ଶେଷ ସୁଦ୍ଧା ୫,୬୭୯ଟି ଅଭିଯୋଗ ବିଚାରାଧୀନ ରହିଥିଲା। ନିୟମାନୁସାରେ CVOମାନେ ୩ ମାସ ମଧ୍ୟରେ ତଦନ୍ତ ଶେଷ କରିବା କଥା, କିନ୍ତୁ ୨,୦୦୨ଟି ମାମଲା ୩ ମାସରୁ ଅଧିକ ସମୟ ଧରି ନିଷ୍ପତ୍ତିହୀନ ହୋଇ ପଡ଼ିରହିଛି।
ସବୁଠାରୁ ଅଧିକ ଦୁର୍ନୀତି ଅଭିଯୋଗ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ବିରୋଧରେ ଆସିଛି। ବ୍ୟାଙ୍କଗୁଡ଼ିକ ବିରୋଧରେ ସମୁଦାୟ ୯,୯୩୩ଟି ଅଭିଯୋଗ ମିଳିଥିବା ବେଳେ ସେଥିରୁ ୯,୫୨୦ଟିର ସମାଧାନ ହୋଇଛି ଏବଂ ୪୧୩ଟି ମାମଲା ବାକି ରହିଛି। ସେହିପରି ୯,୩୮୧ଟି ଅଭିଯୋଗ ସହ ରେଳବାଇ ଦ୍ୱିତୀୟ ସ୍ଥାନରେ ରହିଛି, ଯେଉଁଥିରୁ ୮,୭୫୪ଟି ମାମଲା ଶେଷ ହୋଇଛି ଓ ୬୨୭ଟି ଅଭିଯୋଗ ପେଣ୍ଡିଂ ରହିଛି।
ଅନ୍ୟାନ୍ୟ ପ୍ରମୁଖ ବିଭାଗଗୁଡ଼ିକ ମଧ୍ୟରେ ଆବାସ ଓ ନଗର ଉନ୍ନୟନ ବିଭାଗ ବିରୋଧରେ ୬,୫୩୧ଟି ଏବଂ ଦିଲ୍ଲୀ ନଗର ନିଗମ, DDA, ଦିଲ୍ଲୀ ଜଳ ବୋର୍ଡ ଆଦି ସ୍ଥାନୀୟ ନିକାୟଗୁଡ଼ିକ ବିରୋଧରେ ୪,୮୩୪ଟି ଅଭିଯୋଗ ରହିଛି। ଏହାଛଡ଼ା କୋଇଲା ସେକ୍ଟର ବିରୋଧରେ ୪,୧୧୮ଟି, ଅର୍ଥ ବିଭାଗ ବିରୋଧରେ ୩,୧୦୭ଟି, ଦିଲ୍ଲୀ ସରକାରଙ୍କ ବିରୋଧରେ ୨,୮୦୪ଟି ଏବଂ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ବିରୋଧରେ ୨,୭୨୨ଟି ମାମଲା ରେକର୍ଡ ହୋଇଛି।
ସେହିପରି ଦିଲ୍ଲୀ ପୋଲିସ ବିରୋଧରେ ୨,୬୩୩ଟି, ସଡ଼କ ପରିବହନ ବିଭାଗ ବିରୋଧରେ ୨,୧୩୯ଟି, ଗୃହ ମନ୍ତ୍ରଣାଳୟ ବିରୋଧରେ ୨,୦୩୬ଟି, ମାନବ ସମ୍ବଳ ବିକାଶ ବିଭାଗ ବିରୋଧରେ ୨,୦୩୦ଟି ଏବଂ ଶ୍ରମ ମନ୍ତ୍ରଣାଳୟ ବିରୋଧରେ ୧,୮୯୪ଟି ଅଭିଯୋଗ ଆସିଛି। ଏହାବ୍ୟତୀତ ବିମା କମ୍ପାନୀ, ଟେଲିକମ୍, ପ୍ରତିରକ୍ଷା, ଖାଉଟି କଲ୍ୟାଣ, ଇସ୍ପାତ ଏବଂ ଡାକ ବିଭାଗରେ ମଧ୍ୟ ପ୍ରତ୍ୟେକଟିରେ ହଜାରରୁ ଅଧିକ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି।