ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ପକ୍ଷରୁ ମହିଳା କ୍ରିକେଟ୍ କ୍ୟାଲେଣ୍ଡରକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି। ବର୍ଷ ୨୦୨୭ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁଥିବା ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କାଠାରୁ ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନ ଏହି ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତକୁ ମିଳିଥିବାବେଳେ ମ୍ୟାଚ୍ ଗୁଡ଼ିକ ମୁମ୍ବାଇ ଏବଂ ବଡୋଦରାରେ ଖେଳାଯିବ।
ପୂର୍ବରୁ ଏହି ଐତିହାସିକ ୬ ଦଳୀୟ ଟି-୨୦ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ଦିଆଯାଇଥିଲା। କିନ୍ତୁ କ୍ରିକେଟ୍ ବୋର୍ଡରେ ସରକାରଙ୍କ ଅତ୍ୟଧିକ ହସ୍ତକ୍ଷେପ ଏବଂ ଆଇସିସିର ନିୟମାବଳୀ କଡ଼ାକଡ଼ି ପାଳନ ନହେବାରୁ ଆଇସିସି ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛି । ଶ୍ରୀଲଙ୍କାରୁ ଆୟୋଜନ ଅଧିକାର ପ୍ରତ୍ୟାହାର କରିନେଇଛି। ଏହାପରେ ବିକଳ୍ପ ଆୟୋଜକ ଭାବେ ଆଇସିସି ଭାରତକୁ ଚୟନ କରିଛି, ଯାହାକୁ ଆଇସିସି ବୋର୍ଡ ବୈଠକରେ ଆନୁଷ୍ଠାନିକ ଭାବେ ମଞ୍ଜୁରି ମିଳିଛି।
ଆସନ୍ତା ୨୦୨୭ ମସିହା ଫେବୃଆରୀ ୧୪ରୁ ୨୮ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ସମସ୍ତ ରୋମାଞ୍ଚକର ମ୍ୟାଚ୍ ମୁମ୍ବାଇର ପ୍ରସିଦ୍ଧ କ୍ରିକେଟ୍ କ୍ଲବ୍ ଅଫ୍ କିଙ୍ଗ୍ସ (ବ୍ରାବୋର୍ଣ୍ଣ ଷ୍ଟାଡିୟମ୍) ଏବଂ ବଡୋଦରା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ବୋଲି ସ୍ଥିର ହୋଇଛି।
ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ୬ଟି ଦଳ ଅଂଶଗ୍ରହଣ କରିବେ। କ୍ରିକେଟ୍ ପ୍ରଶଂସକମାନେ ଭାରତୀୟ ମାଟିରେ ମହିଳା କ୍ରିକେଟର ଏକ ବଡ଼ ମହାକୁମ୍ଭ ଦେଖିବାକୁ ପାଇବେ, ଯାହା ମହିଳା କ୍ରିକେଟ୍କୁ ବିଶ୍ୱସ୍ତରରେ ଆହୁରି ଅଧିକ ଲୋକପ୍ରିୟ କରିବାରେ ସହାୟକ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଅଂଶଗ୍ରହଣ କରିବ ।
Also Read: ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ମ୍ୟାଚ୍ କେବେ ଏବଂ କାହା ସହିତ? ଜାଣନ୍ତୁ ସେପ୍ଟେମ୍ବର ମାସର ସମ୍ପୂର୍ଣ୍ଣ ସୂଚୀ