ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ୭.୮ ପ୍ରତିଶତ GDP ଅଭିବୃଦ୍ଧିକୁ ପ୍ରଶ୍ନ କରୁଥିବା ଅର୍ଥନୀତିଜ୍ଞ ଏବଂ ସମାଲୋଚକମାନଙ୍କୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କଡ଼ା ସମାଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ୭.୮% ଜିଡିପି ଅଭିବୃଦ୍ଧି ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମର ଫଳ ଅଟେ ଏବଂ ଏହାକୁ ଭିନ୍ନ ଜିଡିପି ସିରିଜ୍ ସହ ତୁଳନା କରି କେହି ଅଣଦେଖା କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏକ କାର୍ଯ୍ୟକ୍ରମରେ ମତରଖି ପୀୟୂଷ ଗୋୟଲ କହିଛନ୍ତି, "ସତ୍ୟ କେବେ ବଦଳିବ ନାହିଁ ଏବଂ ମନ୍ତ୍ରୀମାନେ ଏହି ତଥ୍ୟ ତିଆରି କରନ୍ତି ନାହିଁ।" ସରକାରଙ୍କ ସଂଶୋଧିତ ଜିଡିପି ସିରିଜ୍ ଏବଂ ଗତ ବର୍ଷର ଜିଡିପି ହ୍ରାସ ପାଇ ନଥିଲେ ପ୍ରଥମ ତ୍ରୈମାସିକର ଅଭିବୃଦ୍ଧି ମାତ୍ର ୨.୬% ରହିଥାନ୍ତା ବୋଲି ହେଉଥିବା ଦାବିକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ତାଙ୍କର ଏହି ପ୍ରତିକ୍ରିୟା ଆସିଛି।
ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଏବଂ ଆର୍ବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ବିନା ନାମ ନେଇ କେନ୍ଦ୍ରମନ୍ତ୍ରୀ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, "କିଛି ବେକାର ଲୋକ ନିଜକୁ ଅର୍ଥନୀତିଜ୍ଞ ବୋଲି କହି ଟିଭି ଚ୍ୟାନେଲମାନଙ୍କରେ ଦେଶର କ୍ଷତି କରିବା ପାଇଁ ଆସୁଛନ୍ତି। ଏଭଳି ଭ୍ରମରେ ପଡ଼ନ୍ତୁ ନାହିଁ।" ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ଏହାର ପଦ୍ଧତିକୁ ନେଇ ଏହି ସମାଲୋଚକମାନେ ବାରମ୍ବାର ପ୍ରଶ୍ନ ଉଠାଇ ଆସୁଛନ୍ତି।
ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରି ଗୋୟଲ କହିଛନ୍ତି ଯେ, କିଛି ନେତା ଭାରତକୁ ଏକ "ମୃତ ଅର୍ଥନୀତି" ଭାବେ ଚିତ୍ରଣ କରିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ ଏବଂ ସେମାନେ ପୂର୍ବଭଳି ପୁଣିଥରେ ବିଫଳ ହେବେ।
୨.୬% ଅଭିବୃଦ୍ଧି ଦାବିକୁ ଖାରଜ କଲା ସରକାର
ପ୍ରଥମ ତ୍ରୈମାସିକର ଅଭିବୃଦ୍ଧି ୨.୬% ପାଖାପାଖି ଥିଲା ବୋଲି କରାଯାଉଥିବା ଦାବିକୁ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ (MoSPI) ର ସଚିବ ସୌରଭ ଗର୍ଗ ଦୃ଼ଢ଼ ଭାବେ ଖଣ୍ଡନ କରିଛନ୍ତି। ଏହି ତୁଳନାକୁ ସେ "ଆପଲ୍ ଏବଂ ଅରେଞ୍ଜ" (ଭିନ୍ନ ପ୍ରକାର ତୁଳନା) ବୋଲି କହିଛନ୍ତି। ସମାଲୋଚକମାନେ ପୁରୁଣା ୨୦୧୧-୧୨ ଆଧାରବର୍ଷ ବିଶିଷ୍ଟ ଜିଡିପି ସିରିଜ୍ର ତଥ୍ୟ ବ୍ୟବହାର କରି ଏଭଳି ଭ୍ରମାତ୍ମକ ଦାବି କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।