ଦେବଗଡ଼ : ଯୁବକଙ୍କ ଉନ୍ମତ୍ତ କାଣ୍ଡ। ମୋବାଇଲ ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଜଣେ ଯୁବକ। ଏଭଳି ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଝୁମ୍ପୁରା ଗ୍ରାମରେ ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ଲୁବୁ ନାୟକ ଆଜି ମୋବାଇଲ ଟାୱାର ଉପରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଇଛନ୍ତି। ଖବର ପାଇ ବାରକୋଟ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ ।
ସୂଚନା ଅନୁଯାୟୀ, ଲୁବୁ ପୂର୍ବରୁ ବିବାହ କରିଥିଲେ ହେଲେ ପାରିବାରିକ ଅଶାନ୍ତି ଯୋଗୁଁ ତାଙ୍କର ସ୍ତ୍ରୀ ଛୁଆକୁ ଧରି ତାଙ୍କ ବାପ ଘରକୁ ଚାଲିଯାଇଛନ୍ତି।ଏହାପରେ କିଛି ଦିନ ପୂର୍ବରୁ ଲୁବୁ ପାଲଲହଡା ଥାନାଅଞ୍ଚଳର ଜଣେ ଯୁବତୀକୁ ତାଙ୍କର ଘରକୁ ଆଣିଥିଲେ। କିନ୍ତୁ ଉକ୍ତ ଯୁବତୀଙ୍କ ପରିବାର ଲୋକ ତାଙ୍କୁ ଆଜି ଘରକୁ ନେଇଯିବାରୁ ଲୁବୁ ନିରାଶ ହୋଇ ମୋବାଇଲ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡିଛି। ଶେଷ ଖବର ସୁଦ୍ଧା ଯୁବକ ଜଣକୁ ତଳକୁ ଓହ୍ଲାଇବାକୁ ଚେଷ୍ଟା ଜାରି ରହିଥିଲା।