ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଆୟ, ପାଣ୍ଠି ଏବଂ ଦାନ ରାଶିର ପରିଚାଳନା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାର୍ବଜନୀନ କରାଯାଇଛି। ମନ୍ଦିର ପରିଚାଳନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ମନ୍ଦିରର ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଖଣିଖାଦାନ, ସ୍ଥାୟୀ ଜମାରୁ ମିଳୁଥିବା ସୁଧ, ଜମି ବିକ୍ରି ଓ ଅଧିଗ୍ରହଣ ଏବଂ ସରକାରୀ ଅନୁଦାନରୁ ଆସିଥାଏ। ଏହି ଆୟର କିଛି ଅଂଶ କର୍ପସ ଫଣ୍ଡ ଏବଂ ଫାଉଣ୍ଡେସନ ପାଣ୍ଠି ଭାବେ ସ୍ଥାୟୀ ଜମାରେ ରଖାଯାଉଥିବାବେଳେ ଅବଶିଷ୍ଟ ଅର୍ଥ ମନ୍ଦିର ପାଣ୍ଠିରେ ରହି ଦୈନଦିନ ଖର୍ଚ୍ଚ ପାଇଁ ବ୍ୟବହୃତ ହୋଇଥାଏ।
ବ୍ୟାଙ୍କରେ କେତେ ରହିଛି ସ୍ଥାୟୀ ଜମା ?
ଉପରୋକ୍ତ ଯୋଜନାଗୁଡ଼ିକ ମାଧ୍ୟମରେ ମୋଟ ୧୮୧୧ କୋଟି ୯ ଲକ୍ଷ 5୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମା ଆକାରରେ ରହିଛି। ଏଥି ମଧ୍ୟରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଏବଂ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ୫ ଶହ କୋଟି ଟଙ୍କାର କର୍ପସ ଫଣ୍ଡ ପିଏଲ୍ ଆକାଉଣ୍ଟରେ ଜମା ରହିଛି। ଏହା ବ୍ୟତୀତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଅତିରିକ୍ତ ଶହେ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଥିବା ଜଣାପଡ଼ିଛି। ପ୍ରତିଦିନ ହୁଣ୍ଡି ଗଣନା କରାଯାଇ ସୋସିଆଲ ମିଡିଆ ଓ ସୂଚନା ଫଳକରେ ଏହାର ବିବରଣୀ ପ୍ରକାଶ କରାଯାଉଛି।
ଡିଜିଟାଲ୍ ହୁଣ୍ଡି ଜରିଆରେ ମଧ୍ୟ ବୃଦ୍ଧି ପାଉଛି ଦାନ
ଚଳିତବର୍ଷ ଜୁନ୍ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶ୍ରୀମନ୍ଦିରର 'ଡିଜିଟାଲ୍ ହୁଣ୍ଡି'ର ଶୁଭାରମ୍ଭ ହୋଇଥିଲା। ଏହି ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଦେଶବିଦେଶର ଭକ୍ତମାନେ ଅତି ସହଜରେ ଦାନ ଦେଇ ରସିଦ୍ ଡାଉନଲୋଡ୍ କରିପାରୁଛନ୍ତି। କେବଳ ଅଗଷ୍ଟ ମାସ ଶେଷ ସୁଦ୍ଧା ଏହି ଡିଜିଟାଲ୍ ମାଧ୍ୟମରେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରାଯାଇଛି।
Also Read: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ନେଇ ଏମିତି କହିଲେ ମୁଖ୍ୟ ପ୍ରଶାସକ...