ଭୁବନେଶ୍ୱର: ବାତ୍ୟା, ବନ୍ୟା ଓ ତାପପ୍ରବାହ ଭଳି ବିପର୍ଯ୍ୟୟର ମୁକାବିଲାକୁ ଆହୁରି ସ୍ମାର୍ଟ କରିବା ପାଇଁ ଓଡ଼ିଶା ସରକାର ବୁଧବାର ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଓ CivicDataLab ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି।
ଲୋକସେବା ଭବନ କନଭେନ୍ସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଉପସ୍ଥିତ ଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, UNDP ଇଣ୍ଡିଆର ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍ ଆଞ୍ଜେଲା ଲୁସିଗି ଓ CivicDataLabର ସହ-ପ୍ରତିଷ୍ଠାତା ଗୌରବ ଗୋଧୱାନୀ।
UNDP ସହଭାଗିତାରେ ରାଜ୍ୟର ୩୦ଟି ଜିଲ୍ଲାରେ Hazard, Risk and Vulnerability Assessment (HRVA) କରାଯିବ। ଉପକୂଳର ୧୦ ଜିଲ୍ଲାରେ ଗାଁ ସ୍ତରରେ ଏବଂ ଅନ୍ୟ ୨୦ ଜିଲ୍ଲାରେ ଗ୍ରାମପଞ୍ଚାୟତ ସ୍ତରରେ ତଥ୍ୟ ସଂଗ୍ରହ ହେବ। ଏହା ଆଧାରରେ GIS ସକ୍ଷମ ଡିଜିଟାଲ୍ ପ୍ଲାଟଫର୍ମ ଓ ଜିଲ୍ଲାଭିତ୍ତିକ ରିସ୍କ ଆଟଲାସ୍ ପ୍ରସ୍ତୁତ କରାଯିବ।
ଅନ୍ୟପଟେ, CivicDataLab ସହ ଚୁକ୍ତି ମାଧ୍ୟମରେ ଡିଜିଟାଲ୍ ପବ୍ଲିକ ଇନ୍ଫ୍ରାଷ୍ଟ୍ରକ୍ଚର (DPI) ବିକଶିତ ହେବ। IDS-DRR ପ୍ଲାଟଫର୍ମ ଜରିଆରେ ବିଭିନ୍ନ ବିଭାଗର ତଥ୍ୟକୁ ଏକତ୍ର କରି ରିଅଲ୍-ଟାଇମ୍ ଡ୍ୟାସ୍ବୋର୍ଡ ଓ ବିଶ୍ଳେଷଣ OSDMA ଓ ଜିଲ୍ଲା ପ୍ରଶାସନକୁ ଉପଲବ୍ଧ କରାଯିବ। ପ୍ରଥମ ପର୍ଯ୍ୟାୟରେ ନଦୀ ବନ୍ୟା, ଉପକୂଳ ବନ୍ୟା ଓ ତାପପ୍ରବାହ ଉପରେ ବିଶେଷ ଧ୍ୟାନ ଦିଆଯିବ।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିପର୍ଯ୍ୟୟ ପରେ ପ୍ରତିକ୍ରିୟା ନୁହେଁ, ବରଂ ପୂର୍ବ ପ୍ରସ୍ତୁତି ଓ ସଠିକ୍ ତଥ୍ୟ ଆଧାରିତ ପଦକ୍ଷେପ ହିଁ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲର ମୂଳ ଆଧାର ହେବ।