ୟୁକ୍ରେନରେ ରୁଷୀୟ ମିସାଇଲ୍ ଆକ୍ରମଣର ଶିକାର ହୋଇ ଜଣେ ଭାରତୀୟ ନାଗରିକ ସୁଦର୍ଶନ ଗୌଡ଼ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଭାରତୀୟ ନାଗରିକ ଗଣେଶ କଲ୍ଲେଡା ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ଦୂତାବାସ ୟୁକ୍ରେନ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରୁଛି।
ୟୁକ୍ରେନରେ ରୁଷୀୟ ମିସାଇଲ୍ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।
ମୃତକଙ୍କ ପରିଚୟ ତେଲେଙ୍ଗାନାର ଜଗିତ୍ୟାଲ୍ ଜିଲ୍ଲାସ୍ଥିତ ହୁସ୍ନାବାଦ ଗ୍ରାମର ୪୨ ବର୍ଷୀୟ ୱାଭିଲାଲା ସୁଦର୍ଶନ ଗୌଡ଼ ଭାବେ ହୋଇଛି।
ଚାରି ମାସ ତଳେ ୟୁକ୍ରେନ ଯାଇଥିଲେ
ସୂଚନା ଅନୁଯାୟୀ, ସୁଦର୍ଶନ ଗୌଡ଼ କାମ ସନ୍ଧାନରେ ନିଜର ଜଣେ ସମ୍ପର୍କୀୟଙ୍କ ସହ ପ୍ରାୟ ଚାରି ମାସ ତଳେ ୟୁକ୍ରେନ ଯାଇଥିଲେ, ଯେଉଁଠାରେ ତାଙ୍କୁ ନିର୍ମାଣ (Construction) କ୍ଷେତ୍ରରେ ଚାକିରି ମିଳିଥିଲା। ଏହି ଘଟଣା ଓଡେସା ସହରରେ ସେତେବେଳେ ଘଟିଥିଲା, ଯେତେବେଳେ ରୁଷୀୟ ମିସାଇଲ୍ ଆକ୍ରମଣର ସାଇରେନ୍ ବାଜିବା ପରେ ସେମାନେ ନିଜ ରହୁଥିବା ସ୍ଥାନରୁ ବାହାରି ସୁରକ୍ଷିତ ସ୍ଥାନକୁ ଯାଉଥିଲେ।
ସେହି ସମୟରେ ହୋଇଥିବା ମିସାଇଲ୍ ଆକ୍ରମଣର ଶିକାର ହୋଇ ତାଙ୍କର ପ୍ରାଣହାନି ଘଟିଥିଲା। ଏହି ଆକ୍ରମଣରେ ଆହତ ହୋଇଥିବା ଦ୍ୱିତୀୟ ଭାରତୀୟଙ୍କ ପରିଚୟ ୩୫ ବର୍ଷୀୟ ଗଣେଶ କଲ୍ଲେଡା ଭାବେ ହୋଇଛି।
ଶୋକପ୍ରକାଶ କଲା ଭାରତୀୟ ଦୂତାବାସ
ୟୁକ୍ରେନସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାକୁ ନିଶ୍ଚିତ କରିଛି। ଦୂତାବାସ 'X' ରେ ପୋଷ୍ଟ କରି ଗଭୀର ସମବେଦନା ପ୍ରକାଶ କରିବା ସହ ପୀଡ଼ିତ ପରିବାର ସହ ନିରନ୍ତର ଯୋଗାଯୋଗରେ ଥିବା ଜଣାଇଛି।
ସୁଦର୍ଶନ ଗୌଡ଼ଙ୍କ ମୃତଦେହକୁ ଯଥାଶୀଘ୍ର ଭାରତ ଆଣିବା ପାଇଁ ୟୁକ୍ରେନ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ନିର୍ମାଣ କମ୍ପାନୀ ସହ ସମନ୍ୱୟ ସ୍ଥାପନ କରି ସମସ୍ତ ଆଇନଗତ ଓ ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଉଛି ବୋଲି ଭାରତୀୟ ଦୂତାବାସ ଆଶ୍ୱାସନା ଦେଇଛି।
ସ୍ଥାନୀୟ ବିଧାୟକ ଡଃ ସଞ୍ଜୟ କୁମାର ମଧ୍ୟ ଗୌଡ଼ଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ ଏହି କଠିନ ସମୟରେ ସମସ୍ତ ସରକାରୀ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି।
ରାଷ୍ଟ୍ରପତି ଜେଲେନସ୍କିଙ୍କ ବୟାନ
ଏହି ଆକ୍ରମଣ ସମଗ୍ର ୟୁକ୍ରେନରେ ରୁଷ ପକ୍ଷରୁ ଚାଲିଥିବା ଡ୍ରୋନ୍, ଗାଇଡେଡ୍ ଏରିଅଲ୍ ବୋମା ଏବଂ ମିସାଇଲ୍ ଆକ୍ରମଣର ଏକ ବଡ଼ ଲହରର ଅଂଶ ଥିଲା।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଜଣାଇଛନ୍ତି ଯେ, ସାମ୍ପ୍ରତିକ ଆକ୍ରମଣରେ ଆବାସିକ ଓ ନାଗରିକ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଛି, ଯେଉଁଥିରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି।
ଜେଲେନସ୍କି ପୀଡ଼ିତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ଅଧିକରୁ ଅଧିକ ଜନଜୀବନ କ୍ଷତିଗ୍ରସ୍ତ କରିବା ଲକ୍ଷ୍ୟରେ ଏହି ଆକ୍ରମଣ କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି।