ନୂଆଦିଲ୍ଲୀ: ତିବ୍ଦତ ସୀମାରେ ହିମସ୍ଖଳନ ହେବା ଯୋଗୁଁ ନେପାଳରେ ଯେଉଁ ଜଳ ପ୍ରଳୟ ଆସିଥିଲା ସବୁ କିଛି ଧ୍ୱଂସ କରିଦେଇଛି । ନେପାଳ ଉପରେ ପୁଣି ଏକ ବିପଦ ମୁଣ୍ଡ ଟେକିଛି । କିଛି ଗ୍ଲାସିଅର ଅସ୍ଥିରତା ଯୋଗୁଁ ଚୀନ ନେପାଳକୁ ସତର୍କ ରହିବାକୁ ଆଗୁଆ ପରାମର୍ଶ ଦେଇଛି ।
ଚୀନର ଜଳସମ୍ପଦ ମନ୍ତ୍ରଣାଳୟ ସତର୍କ କରାଇଛି ଯେ ନେପାଳରେ ପ୍ରାକୃତିକ ବିପର୍ୟ୍ୟୟ ପରେ ଜମା ହୋଇଥିବା ପାଣି ପ୍ରାୟତଃ ଶୁଖିଯାଇଛି ଏବଂ ନଦୀର ଜଳ ପ୍ରବାହ ସ୍ୱାଭାବିକ ହେବାକୁ ହୋଇଛି । ତଥାପି ଏହାର ଆଖପାଖ ଅଞ୍ଚଳରେ ଆହୁରି ଗ୍ଲାସିଅର ବିପଦପୂର୍ଣ୍ଣ ଏବଂ ଅସ୍ଥିର ଅବସ୍ଥାରେ ରହିଛି । ଯାହା ନଦୀରେ ଏକ ପ୍ରକାର ବନ୍ଧ ସୃଷ୍ଟି କରି ରହିଛି । ଯଦି ଏହା କୌଣସି ସମୟରେ ଭାଙ୍ଗି ଯାଏ ତେବେ ପୁଣି ଥରେ ଏକ ବିପଦ ଆଣିପାରେ ।
ବୈଜ୍ଞାନିକମାନେ କହିଛନ୍ତି ଯେ ବିଶ୍ୱ ଉଷ୍ଣତା ଏବଂ ବରଫଖଣ୍ଡ ତରଳିବା ଫଳରେ ଉଚ୍ଚ ପର୍ବତ ଅଞ୍ଚଳରେ ବରଫ ଏବଂ ପଥର ଦୁର୍ବଳ ହେଉଛି, ଯାହା ଫଳରେ ଏପରି ପ୍ରାକୃତିକ ବିପର୍ୟ୍ୟୟର ପୁନରାବୃତ୍ତି ଘଟୁଛି । ଏହା ନେପାଳ ଭଳି ଦେଶ ପାଇଁ ଅତ୍ୟନ୍ତ ଚିନ୍ତାଜନକ । ଯେଉଁଠାରେ ଜନସଂଖ୍ୟା, ରାସ୍ତା ଏବଂ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ସଂକୀର୍ଣ୍ଣ ନଦୀ ଉପତ୍ୟକାରେ ଅବସ୍ଥିତ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅଗଷ୍ଟ ୨୬ ତାରିଖରେ ହିମସ୍ଖଳନ ଫଳରେ ନେପାଳରେ ଆସିଥିବା ଆକସ୍ମିକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ କରିସାରିଲାଣି । ତତସହିତ ହଜାର ହଜାର ସଂଖ୍ୟାରେ ଲୋକେ ଏବେବି ନିଖୋଜ ଅଛନ୍ତି । ଆଉ ଅନେକ ଲୋକ ଖୋଲା ଆକାଶ ତଳେ ଜୀବନ ବଞ୍ଚାଉଛନ୍ତି ।