ଭୁବନେଶ୍ୱର: ଏବର୍ଷ ମୌସୁମୀ ବର୍ଷାରେ ଓଡ଼ିଶା ସୃଷ୍ଟି କରିଛି ଏକ ନୂଆ ରେକର୍ଡ। ସେପ୍ଟେମ୍ବର ଶେଷ ସୁଦ୍ଧା ଯେତିକି ବର୍ଷା ହେବା କଥା, ତାହା ଅଗଷ୍ଟ ୩୧ ସୁଦ୍ଧା ହିଁ ପୂରଣ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ତଥ୍ୟ ଅନୁସାରେ, ରାଜ୍ୟରେ ଚଳିତ ମୌସୁମୀରେ ୧୧୫୪.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ପରିମାଣ ୧୧୫୦.୨ ମିଲିମିଟର ଠାରୁ ମଧ୍ୟ ଅଧିକ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ମୌସୁମୀର ଆରମ୍ଭରେ ଜୁନ୍ ମାସରେ ଓଡ଼ିଶାରେ ୩୫ ପ୍ରତିଶତ ବର୍ଷା ନିଅଣ୍ଟ ରହିଥିଲା। ସେତେବେଳେ ଚାଷ ଓ ଜଳ ସଂରକ୍ଷଣକୁ ନେଇ ଚିନ୍ତା ବଢ଼ିଥିଲା। କିନ୍ତୁ ଜୁଲାଇରେ ପ୍ରାୟ ସ୍ୱାଭାବିକ ଏବଂ ଅଗଷ୍ଟରେ ଲଗାଣ ବର୍ଷା ଯୋଗୁଁ ସମଗ୍ର ସ୍ଥିତି ବଦଳିଯାଇଛି। ମାତ୍ର ଦୁଇ ମାସରେ ଜୁନ୍ର ଘାଟତି ପୂରଣ ହୋଇ ଓଡ଼ିଶା ଦେଶର ଏକମାତ୍ର ଅଧିକ ବର୍ଷାପ୍ରାପ୍ତ ରାଜ୍ୟ ପାଲଟିଛି।
IMD ତଥ୍ୟ ଅନୁଯାୟୀ, ଜୁନ୍ରୁ ଅଗଷ୍ଟ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକଠାରୁ ୨୬ ପ୍ରତିଶତ ଅଧିକ ବର୍ଷା ହୋଇଛି। ଅନ୍ୟପଟେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର, ରାଜସ୍ଥାନ ଓ ଆସାମ ସମେତ ୧୪ଟି ରାଜ୍ୟରେ ବର୍ଷା ନିଅଣ୍ଟ ରହିଛି। ସମଗ୍ର ଦେଶରେ ଏହି ସମୟରେ ବର୍ଷା ୧୪ ପ୍ରତିଶତ କମ୍ ଥିବା ବେଳେ ଓଡ଼ିଶା ଏକମାତ୍ର ବ୍ୟତିକ୍ରମ ହୋଇଛି।
ତେବେ ମୌସୁମୀ ଶେଷ ହେବାକୁ ଆହୁରି ଏକ ମାସ ବାକି ଥିବାରୁ ସେପ୍ଟେମ୍ବରରେ ବର୍ଷାର ଧାରା କେମିତି ରହିବ ଓ ଏହା ବନ୍ୟା ସ୍ଥିତିକୁ କେତେ ପ୍ରଭାବିତ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।