ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଆଉ ଦୁଇଟି ବଡ଼ ସଫଳତା। ଲାଞ୍ଚ ନେବା ମାମଲାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସରପ୍ରାପ୍ତ ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଡା. ଦେବେନ୍ଦ୍ରନାଥ ନାୟକ ଏବଂ ସମ୍ବଲପୁର ରେଙ୍ଗାଲି ତହସିଲ ଅଧୀନ ଲପଙ୍ଗା RI ସର୍କଲର ପୂର୍ବତନ ସହକାରୀ ରେଭେନ୍ୟୁ ଇନ୍ସପେକ୍ଟର ଦୁର୍ଗା ପ୍ରସାଦ ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ କୋର୍ଟ ଡା. ନାୟକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ, ସେ ଜଣେ ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ ହାଇଡ୍ରୋସିଲ୍ ଅପରେସନ୍ କରିବା ପାଇଁ ଲାଞ୍ଚ ଦାବି କରି ଟଙ୍କା ଗ୍ରହଣ କରିଥିଲେ। ରାୟ ପରେ ତାଙ୍କୁ ତୁରନ୍ତ ଜେଲ୍ ହାଜତକୁ ପଠାଯାଇଛି।
ଅନ୍ୟପଟେ, ପୂର୍ବତନ ARI ଦୁର୍ଗା ପ୍ରସାଦ ସାହୁଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡ ଶୁଣାଯାଇଛି। ସେ ଏକ ମ୍ୟୁଟେସନ୍ ମାମଲାରେ ସପକ୍ଷ ରିପୋର୍ଟ ଦେବା ପାଇଁ ଆବେଦନକାରୀଙ୍କ ଠାରୁ ଲାଞ୍ଚ ନେଇଥିବା ପ୍ରମାଣିତ ହୋଇଥିଲା।
ସବୁଠୁ ବଡ଼ କଥା ହେଲା, ଉଭୟ ଅଧିକାରୀ ଅବସର ନେଇସାରିଥିଲେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବ ବୋଲି ସୂଚନା ଦେଇଛି।