ରାୟଗଡା : ସୋମବାର ରାୟଗଡା ଅଧିଷ୍ଠାତ୍ରୀ ମା ମଝିଘରିଆଣୀଙ୍କ ହୁଣ୍ଡି ଗଣତି ହୋଇଛି। ଶ୍ରଦ୍ଧାଳୁ ମାନେ ଦାନ ସ୍ବରୂପ ଦେଇଥିବା ଟଙ୍କା, ଗହଣା, ଗଣତି ଚାଲିଥିବା ବେଳେ ସେଥିରୁ ବାହାରିଲା ଏକ ଭକ୍ତର ନିବେଦନ ପତ୍ର ଯାହା ଏବେ ବେଶ୍ ଚର୍ଚ୍ଚାରେ। ଟଙ୍କା, ସୁନା ଓ ବିଦେଶୀ ମୁଦ୍ରା ସହ ଭକ୍ତଙ୍କ ମନର କଥା ମଧ୍ୟ ହୁଣ୍ଡିରୁ ମିଳିଛି।
ସୂଚନା ଅନୁଯାଯୀ ମା ଙ୍କ ହୁଣ୍ଡିରୁ ବାହାରିଲା ୭ ପୃଷ୍ଠାର ନିବେଦନ ପତ୍ର। ଋଣରେ ବୁଡ଼ିଥିବା ଜଣେ ବ୍ୟକ୍ତି ଋଣମୁକ୍ତି ସହ ପରିବାରର ଶାନ୍ତି, ଚାକିରୀ ଓ ଭଲ ଭବିଷ୍ୟତ ପାଇଁ ମା’ ମାଝି ଘରିଆଣୀଙ୍କ ନିକଟରେ ଗୁହାରି କରିଛନ୍ତି । ପ୍ରାୟ ୭ ପୃଷ୍ଠାର ଏହି ଚିଠିରେ ଜଣେ ଭକ୍ତ ନିଜର ଆର୍ଥିକ ସମସ୍ୟା, ଋଣ ଓ ପାରିବାରିକ ଚିନ୍ତା ସମ୍ପର୍କରେ ମା’ଙ୍କୁ ଜଣାଇଛନ୍ତି। ଚିଠିରେ ନିଜକୁ କୋରାପୁଟର ସୁନୀଲ ଖରା ବୋଲି ଭକ୍ତ ଜଣକ ଦର୍ଶାଇଛନ୍ତି। ଚିଠିଟି ଚଳିତ ମାସ ୨୦ ତାରିଖରେ ଲେଖାଯାଇଥିବା ଦର୍ଶାଯାଇଛି। ଆଜି ମନ୍ଦିରର ୯ଟି ଦାନ ହୁଣ୍ଡିରେ ଥିବା ନଗଦ ଅର୍ଥ, ସୁନା ଓ ରୂପା ଅଳଙ୍କାରର ପୃଥକ ପୃଥକ ଗଣତି କରାଯାଇଛି। ସ୍ୱଚ୍ଛତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ପ୍ରକ୍ରିୟା ସିସିଟିଭି ନଜରଦାରୀ ମଧ୍ୟରେ ଚାଲିଥିଲା ।