ଭୁବନେଶ୍ୱର: ଲଗାତାର ବର୍ଷା ପରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ଏହାକୁ ନଜରରେ ରଖି ଜଳସମ୍ପଦ ବିଭାଗ ସତର୍କ ସୂଚନା ଜାରି କରିଛି। ବାଲେଶ୍ୱରର ଜଳକା ଓ ଭଦ୍ରକର ବୈତରଣୀ ଚେତାବନୀ ସ୍ତର ଅତିକ୍ରମ କରିଥିବା ବେଳେ ମହାନଦୀ ଓ ବ୍ରାହ୍ମଣୀର ଜଳସ୍ତର ମଧ୍ୟ କ୍ରମାଗତ ଭାବେ ବଢ଼ୁଛି।
ସକାଳ ୯ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ବାଲେଶ୍ୱର ଜିଲ୍ଲାର ମଥାନୀ ରୋଡ୍ ବ୍ରିଜ୍ ନିକଟରେ ଜଳକା ନଦୀ ୬.୪୬ ମିଟର ଜଳସ୍ତରରେ ପ୍ରବାହିତ ହେଉଛି। ଏହାର ଚେତାବନୀ ସ୍ତର ୬.୦୦ ମିଟର ଥିବା ବେଳେ ବିପଦ ସଙ୍କେତ ୬.୫୦ ମିଟର। ଅର୍ଥାତ୍ ନଦୀ ବିପଦ ସୀମାର ଅତି ନିକଟରେ ପହଞ୍ଚିଯାଇଛି।
ସେହିପରି ଆଖୁଆପଦାଠାରେ ବୈତରଣୀ ନଦୀ ୧୮.୦୦ ମିଟର ଜଳସ୍ତରରେ ପ୍ରବାହିତ ହେଉଛି। ଏହାର ଚେତାବନୀ ସ୍ତର ୧୭.୮୩ ମିଟର ଓ ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ଜଳସ୍ତର ବୃଦ୍ଧି ଜାରି ରହିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି।
ଅନ୍ୟପଟେ ବ୍ରାହ୍ମଣୀ ନଦୀ ଜେନାପୁରଠାରେ ୨୦.୧୫ ମିଟରରେ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତ ୨୩.୦୦ ମିଟର ରହିଛି। ମହାନଦୀ ନରାଜଠାରେ ୨୪.୦୦ ମିଟର ଏବଂ ଖୈରମାଲଠାରେ ୧୦୩.୧୧ ମିଟରରେ ପ୍ରବାହିତ ହେଉଛି, ଯଦିଓ ଉଭୟ ସ୍ଥାନରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୯୫ ଫୁଟ୍ ରହିଥିବା ବେଳେ ବର୍ତ୍ତମାନ ୮ଟି ଗେଟ୍ ଖୋଲା ରହିଛି। ପ୍ରତି ସେକେଣ୍ଡରେ ୧,୬୩,୫୩୩ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ସେହିପରି ମୁଣ୍ଡଳୀଠାରେ ମହାନଦୀର ଜଳ ପ୍ରବାହ ୨,୦୯,୫୩୬ କ୍ୟୁସେକ୍ ରେକର୍ଡ ହୋଇଛି। ପ୍ରଶାସନ ନଦୀକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ନହେଲେ ନଦୀ ନିକଟକୁ ନଯିବାକୁ ପରାମର୍ଶ ଦେଇଛି।