ନୂଆଦିଲ୍ଲୀ: ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିବା ପେଟ୍ରୋଲରେ କେତେ ପ୍ରତିଶତ ଇଥାନଲ ମିଶାଯାଉଛି, ସେ ସମ୍ପର୍ଣ୍ଣ ସୂଚନା ବା ଲୋଗୋ ବାଧ୍ୟତାମୂଳକ ଭାବେ ପ୍ରଦର୍ଶନ କରାଯିବା ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଦେଶରେ ବର୍ତ୍ତମାନ E20 ଇନ୍ଧନ (ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ) କାର୍ଯ୍ୟକାରୀ ହେଉଥିବାବେଳେ ଗ୍ରାହକଙ୍କ ଜାଣିବାର ଅଧିକାରକୁ ନେଇ ଆସିଥିବା ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ଏଭଳି ରାୟ ଶୁଣାଇଛନ୍ତି।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ପି.ବି. ଭରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆବେଦନକାରୀ ସିଧାସଳଖ ସୁପ୍ରିମକୋର୍ଟକୁ ଆସିବା ବଦଳରେ ସମ୍ପୃକ୍ତ ସକ୍ଷମ କର୍ତ୍ତୃପକ୍ଷ କିମ୍ବା ହାଇକୋର୍ଟଙ୍କ ନିକଟରେ ନିଜର ଅଭିଯୋଗ ଉପସ୍ଥାପନ କରିପାରିବେ।
ଆବେଦନକାରୀଙ୍କ ପକ୍ଷରୁ ଓକିଲ ନରେନ୍ଦ୍ର କୁମାର ଗୋସ୍ୱାମୀ ଯୁକ୍ତି ବାଢ଼ିଥିଲେ ଯେ, ଗ୍ରାହକମାନେ କଣ କିଣୁଛନ୍ତି ତାହା ଜାଣିବାର ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି। ଯେପରି ଆମେ ବଜାରରୁ ବିସ୍କୁଟ କିଣିଲେ ଥିବା ଉପାଦାନଗୁଡ଼ିକ ବିଷୟରେ ଜାଣିପାରୁଛୁ, ସେହିପରି ପେଟ୍ରୋଲ ପମ୍ପର ପ୍ରତିଟି ମେସିନ୍ ବା ନଜଲ୍ ଉପରେ ଇଥାନଲ ପ୍ରତିଶତ ସ୍ପଷ୍ଟ ଭାବେ ଲିଖିତ ରହିବା ଆବଶ୍ୟକ।
ଅନ୍ୟପକ୍ଷରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ଆଟର୍ଣ୍ଣିିଜେନେରାଲ୍ ଆର. ଭେଙ୍କଟରମଣୀ ଏହି ଆବେଦନକୁ ଦୃଢ଼ ବିରୋଧ କରିଥିଲେ। ସେ ଦର୍ଶାଇଥିଲେ ଯେ ସରକାରଙ୍କ ଇଥାନଲ ମିଶ୍ରଣ ନୀତିକୁ ଚାଲେଞ୍ଜ କରୁଥିବା ପୂର୍ବ ଆବେଦନଗୁଡ଼ିକୁ କୋର୍ଟ ପୂର୍ବରୁ ଖାରଜ କରିସାରିଛନ୍ତି।
ଆଖୁ, ଚାଉଳ ଏବଂ ମକା ଆଦିରୁ ପ୍ରସ୍ତୁତ ଇଥାନଲ ମିଶ୍ରଣ ଦ୍ୱାରା ଦେଶର କୃଷକମାନେ ମଧ୍ୟ ବେଶ୍ ଉପକୃତ ହେଉଛନ୍ତି ବୋଲି ସରକାର ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସାଧାରଣ ଗ୍ରାହକଙ୍କ ପାଇଁ ଏଥେନଲ୍ ପରିମାଣ ଜାଣିବା ନେଇ ବାଧ୍ୟତାମୂଳକ ଘୋଷଣା ପ୍ରକ୍ରିୟା ବର୍ତ୍ତମାନ ପାଇଁ ଟଳିଯାଇଛି।