ପୁରୀ : ଆଜିଠାରୁ ଦୁଇ ଦିନ ବ୍ୟାପୀ ରତ୍ନଭଣ୍ଡାରର ପରବର୍ତ୍ତୀ ପର୍ଯ୍ୟାୟ ଗଣତି ମଣତି ହେବ । ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ତଥା ପ୍ରଶାସକଙ୍କ ପରାମର୍ଶ ଅନୁଯାୟୀ ଆଜି ଓ ଆସନ୍ତାକାଲି ଗଣତିମଣତି କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗଣତି ସହ ନୀତିକାନ୍ତି ଶୃଙ୍ଖଳା ଉପରେ ମଧ୍ଯ ଗୁରୁତ୍ୱ ଦିଆଯାଇଛି ।
ତେବେ ଗଣତିମଣତି ପାଇଁ ପାଖାପାଖି ଅପରାହ୍ନ ୪ଟାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅବ୍ୟାହତ ରହିବ ଏବଂ ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିପାରିବେ । କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଗଣତି ଦିନମାନଙ୍କରେ ଧାର୍ଯ୍ୟ ସମୟ ଅବଧିରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯିବ । କେବଳ ବାହାର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଭକ୍ତ ଫେରିବେ ।
ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗତ ୨୦୨୫ ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ମହାପ୍ରଭୁଙ୍କ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ଅଳଙ୍କାରର ଓଜନ ଓ ମାପ ପରେ ଥ୍ରୀଡି ଗ୍ରାଫି ଓ ଭିଡିଓଗ୍ରାଫି ସହ ରତ୍ନ ବିଶାରଦଙ୍କ ଦ୍ୱାରା ମୂଲ୍ୟବାନ ରତ୍ନ ଗୁଡିକର ଚିହ୍ନଟ କରାଯାଉଛି।