ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୧ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଏକ ମେଗା ସମବାୟ ସଦସ୍ୟତା ଅଭିଯାନ “ସମ୍ବନ୍ଧ”ର ଶୁଭାରମ୍ଭ ହେବ ।
ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ଏହି ନୂତନ ମୋବାଇଲ ଆପ୍ଲିକେସନ୍ର ଶୁଭାରମ୍ଭ ହେବ । ଅର୍ଥାତ୍ ଏହି ସଦସ୍ୟତା ଅଭିଯାନ “ସମ୍ବନ୍ଧ” ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ସମସ୍ତ ଘରୁ ଅତିକମରେ ଜଣଙ୍କୁ ସଦସ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି । ଯାହାକି ସମବାୟ ସେବାକୁ ସମସ୍ତ ଘରେ ଘରେ ପହଞ୍ଚାଇବାର ପଥ ସୁଗମ କରିବ ଓ ଗ୍ରାମୀଣ ଜୀବନ ଶୈଳୀକୁ ସହଜ ଓ ଉନ୍ନତ କରିବାରେ ସହାୟ ହେବ । ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ମଧ୍ଯ ସ୍ଥାପନ କରାଯିବ ।
ଏହା ସହିତ ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହତକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍ସ) ଗୁଡ଼ିକ ଚାଷୀ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୮୦ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସର ପାଖାପାଖି ୩ ଲକ୍ଷରୁ ଅଧିକ ହିତାଧିକାରୀ ୧୪ କୋଟି ଟଙ୍କା ଲାଭାଂଶ ପାଇବେ । ସେହିପରି ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବରେ ୪ କୋଟି ୨୨ ଲକ୍ଷ ଟଙ୍କା ପାଇବେ, ଯାହା ପୁନର୍ବାର ସମବାୟ କ୍ଷେତ୍ରର ବିକାଶ ପାଇଁ ବିନିଯୋଗ କରାଯିବ । ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା ଦିଗରେ ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବର୍ତ୍ତମାନ ୭୬ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ବେଳେ ୧ତାରିଖ ଦିନ ଆଭାଷୀ ମାଧ୍ୟମରେ ଆଉ ୨୧ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସରେ ନୂତନ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍ଘାଟନ କରିବେ ମୁଖ୍ଯମନ୍ତ୍ରୀ ।