ଭୁବନେଶ୍ୱର : ଧାନ ବିକ୍ରି ପାଇଁ ଚାଲିଥିବା ପଞ୍ଜୀକରଣ ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ଅଗଷ୍ଟ ୩୧ ତାରିଖ ପଞ୍ଜିକରଣର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ବିଭିନ୍ନ କାରଣରୁ ଅନେକ ଚାଷୀ ନିଜର ପଞ୍ଜିକରଣ କରିପାରିନଥିବାରୁ ସରକାର ଏହି ଅବଧି ବୃଦ୍ଧି କରିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ୬ ତାରିଖରୁ ଧାନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଯାବତ୍ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିସାରିଛନ୍ତି । ତେବେ ଗତବର୍ଷ ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଥିଲେ । ତେଣୁ ଚଳିତବର୍ଷ ମଧ୍ୟ ଅଧିକ ସଂଖ୍ୟକ ଚାଷୀ ପଞ୍ଜିକରଣ କରିବାର ସମ୍ଭାବନା ରହିଛି ।
ପଞ୍ଜୀକରଣ ପ୍ରକ୍ରିୟାରେ କିଛି ସ୍ଥାନରେ ନେଟୱାର୍କ ସମସ୍ୟା ଦେଖାଦେଇଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ଦୂର କରିବା ପାଇଁ ବୈଷୟିକ ଟିମ୍ ସହ ଆଲୋଚନା କରାଯାଇଛି । ଖୁବଶୀଘ୍ର ନେଟୱାର୍କ ଓ ବୈଷୟିକ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।